settings icon
share icon
ପ୍ରଶ୍ନ

ଈଶ୍ଵର କାହିଁକି ଉତ୍ତମ ଲୋକମାନଙ୍କ ପ୍ରତି ମନ୍ଦ ବିଷୟ ଘଟିବାକୁ ଦିଅନ୍ତି?

ଉତ୍ତର


ସମସ୍ତ ପାରମାର୍ଥିକ ଜ୍ଞାନ ମଧ୍ୟରେ ଏହା ସବୁଠାରୁ ଅଧିକ କଷ୍ଟକର ପ୍ରଶ୍ନ । ଈଶ୍ଵର ଅନନ୍ତ, ଅସୀମ, ସର୍ବଜ୍ଞ, ସର୍ବବ୍ୟାପୀ ଓ ସର୍ବଶକ୍ତିଶାଳୀ ଅଟନ୍ତି । ମନୁଷ୍ୟ (ଯିଏ ଅନନ୍ତ, ଅସୀମ, ସର୍ବଜ୍ଞ, ସର୍ବବ୍ୟାପୀ ଓ ସର୍ବଶକ୍ତିଶାଳୀ ନୁହେଁ) କାହିଁକି ଈଶ୍ଵରଙ୍କ ପଥକୁ ସମ୍ପୂର୍ଣ୍ଣରୂପେ ବୁଝିବାକୁ ସକ୍ଷମ ନୁହେଁ ? ଆୟୁବ ପୁସ୍ତକରେ ଏ ବିଷୟରେ ଆଲୋଚନା କରାଯାଇଛି । ଆୟୁବଙ୍କୁ ଜୀବନରେ ମାରିବା ବ୍ୟତୀତ ଶୟତାନ ଯାହା ଚାହିଁଲା ତାହା କରିବା ନିମନ୍ତେ ଈଶ୍ଵର ତାକୁ ଅନୁମତି ଦେଲେ । ଆୟୁବଙ୍କ ପ୍ରତିକ୍ରିୟା କ’ଣ ଥିଲା? “ସେ ମୋତେ ବଧ କଲେ ହେଁ ମୁଁ ତାହାଙ୍କଠାରେ ଅପେକ୍ଷା କରିବି” (ଆୟୁବ ୧୩:୧୫) । “ସଦାପ୍ରଭୁ ଦେଲେ; ସଦାପ୍ରଭୁ ନେଇଅଛନ୍ତି । ସଦାପ୍ରଭୁଙ୍କ ନାମ ଧନ୍ୟ ହେଉ” (ଆୟୁବ ୧:୨୧) । ଏହି ସମସ୍ତ ବିଷୟ ଈଶ୍ଵର କାହିଁକି ଘଟିବାକୁ ଦେଲେ ତାହା ଆୟୁବ ଜାଣିପାରିଲେ ନାହିଁ, କିନ୍ତୁ ସେ ଜାଣିଥିଲେ ଯେ ଈଶ୍ଵର ଉତ୍ତମ ଅଟନ୍ତି ଓ ସେଥିଯୋଗୁଁ ସେ ତାହାଙ୍କଠାରେ ଭରସା କରିଚାଲିଲେ । ପରିଶେଷରେ ତାହା ମଧ୍ୟ ଆମ୍ଭମାନଙ୍କର ପ୍ରତିକ୍ରିୟା ହେବା ଉଚିତ ।

“ଉତ୍ତମ” ଲୋକଙ୍କ ପ୍ରତି କାହିଁକି ମନ୍ଦ ବିଷୟ ଘଟିଥାଏ? ଏହାର ବାଇବଲ ଉତ୍ତର ହେଉଛି କେହି ମଧ୍ୟ “ଉତ୍ତମ” ନାହାନ୍ତି । ବାଇବଲ ଅତି ସ୍ପଷ୍ଟ ଭାବରେ କହିଛି ଯେ ଆମ୍ଭେମାନେ ପାପ ଦ୍ଵାରା ଦୂଷିତ ଓ ସଂକ୍ରମିତ ହୋଇଛୁ (କଲସୀୟ ୭:୨୦; ରୋମୀୟ ୬:୨୩; ୧ଯୋହନ ୧:୮) । “ଉତ୍ତମ” ଲୋକମାନେ ନ ଥିବା ବିଷୟରେ ରୋମୀୟ ୩:୧୦-୧୮ ଅପେକ୍ଷା ଆଉ କୌଣସି ପଦ ଅତି ସ୍ପଷ୍ଟ କରେନାହିଁ । “ଧାର୍ମିକ କେହି ନାହିଁ, ନା, ଜଣେ ସୁଦ୍ଧା ନାହିଁ; ଯେ ବୁଝେ, ଏପରି କେହି ନାହିଁ; ଯେ ଈଶ୍ଵରଙ୍କ ଅନ୍ଵେଷଣ କରେ, ଏପରି ଜଣେ ନାହିଁ; ସେମାନେ ସମସ୍ତେ ବିପଥରେ ଯାଇଅଛନ୍ତି, ଏକ ସାଙ୍ଗରେ ଅକର୍ମଣ୍ୟ ହୋଇଅଛନ୍ତି; ଯେ ସତ୍‍‍କର୍ମ କରେ, ଏପରି କେହି ନାହିଁ, ନା, ଏପରି ଜଣେ ହେଲେ ନାହିଁ । ସେମାନଙ୍କ କଣ୍ଠ ଉନ୍ଜୁକ୍ତ ସମାଧି, ସେମାନେ ଆପଣା ଆପଣା ଜିହ୍ଵାରେ ଛଳନା କରିଅଛନ୍ତି, ସେମାନଙ୍କ ଓଷ୍ଠ ତଳେ କାଳସର୍ପର ବିଷ ଅଛି । ସେମାନଙ୍କ ମୁଖ ଅଭିଶାପ ଓ କଟୁତାରେ ପୂର୍ଣ୍ଣ; ସେମାନଙ୍କ ପାଦ ରକ୍ତପାତ କରିବାକୁ ଦ୍ରୁତଗାମୀ, ସେମାନଙ୍କ ପଥରେ ବିନାଶ ଓ କ୍ଲେଶ, ପୁଣି ଶାନ୍ତିର ପଥ ସେମାନେ ଜାଣନ୍ତି ନାହିଁ । ଈଶ୍ଵରଙ୍କ ଭୟ ସେମାନଙ୍କ ଆଖି ଆଗରେ ନ ଥାଏ ।” ଏହି ଗ୍ରହ (ପୃଥିବୀ)ରେ ଥିବା ସମସ୍ତେ ଏହିକ୍ଷଣି ନରକ ମଧ୍ୟରେ ନିକ୍ଷେପ ହେବାର ଯୋଗ୍ୟ ଅଟନ୍ତି । ଆମେ କେବଳ ଈଶ୍ଵରଙ୍କ ଅନୁଗ୍ରହ ଓ ଦୟାରୁ ପ୍ରତି ସେକେଣ୍ଡ୍‍ ବଞ୍ଚିରହିଛୁ । ଆମେ ଅଗ୍ନିମୟ ହ୍ରଦରେ ଯେଉଁ ଅନନ୍ତ ନରକ ଦଣ୍ଡ ପାଇବାର ଯୋଗ୍ୟ ସେଥିର ତୁଳନାରେ ଏହି ପୃଥିବୀରେ ଆମ ପ୍ରତି ଘଟିଥିବା ସବୁଠାରୁ ଭୟଙ୍କର ବିପଦ ବା ଦୁଃଖ ମଧ୍ୟ ଆମ୍ଭମାନଙ୍କ ପ୍ରତି ଦୟା ଥିବା କାରଣରୁ ଘଟିଥାଏ ।

ସବୁଠାରୁ ଅଧିକ ଉତ୍ତମ ପ୍ରଶ୍ନ ଏପରି ହେବ “ଈଶ୍ଵର କାହିଁକି ମନ୍ଦ ଲୋକମାନଙ୍କ ପ୍ରତି ଉତ୍ତମ ବିଷୟ ଘଟିବାକୁ ଦିଅନ୍ତି?” ରୋମୀୟ ୫:୮ରେ ଲେଖାଯାଏ “କିନ୍ତୁ ଆମ୍ଭେମାନେ ପାପୀ ଥିବା ସମୟରେ ସୁଦ୍ଧା ଖ୍ରୀଷ୍ଟ ଯେ ଆମ୍ଭମାନଙ୍କ ନିମନ୍ତେ ମୃତ୍ୟୁଭୋଗ କଲେ, ସେଥିରେ ଈଶ୍ଵର ଆମ୍ଭମାନଙ୍କ ପ୍ରତି ଆପଣା ପ୍ରେମ ସପ୍ରମାଣ କରୁଅଛନ୍ତି ।” ଏହି ଜଗତରେ ଥିବା ଲୋକମାନଙ୍କର ମନ୍ଦ, ଦୁଷ୍ଟ ଓ ପାପପୂର୍ଣ୍ଣ ସ୍ଵଭାବ ସତ୍ତ୍ଵେ ଈଶ୍ଵର ଆମ୍ଭମାନଙ୍କୁ ପ୍ରେମ କରନ୍ତି । ସେ ଆମ୍ଭମାନଙ୍କୁ ଏପରି ପ୍ରେମ କଲେ ଯେ ସେ ଆମ୍ଭମାନଙ୍କର ପାପର ପାଉଣାକୁ ଦେବା ପାଇଁ ମୃତ୍ୟୁଭୋଗ କରି ଆମ୍ଭମାନଙ୍କୁ ପ୍ରେମ କଲେ (ରୋମୀୟ ୬:୨୩) । ଯଦି ଆମେ ଯୀଶୁଖ୍ରୀଷ୍ଟଙ୍କୁ ଆମ୍ଭମାନଙ୍କର ଉଦ୍ଧାରକର୍ତ୍ତା ଭାବରେ ଗ୍ରହଣ କରୁ (ଯୋହନ ୩:୧୬; ରୋମୀୟ ୧୦:୯), ତେବେ ଆମ୍ଭମାନଙ୍କୁ କ୍ଷମା ଦିଆଯିବ ଓ ଆମ୍ଭମାନଙ୍କୁ ସ୍ଵର୍ଗରେ ଏକ ଅନନ୍ତକାଳୀନ ଘର ଦିଆଯିବା ନିମନ୍ତେ ପ୍ରତିଜ୍ଞା କରାଯାଇଛି (ରୋମୀୟ ୮:୧) । ଆମ୍ଭେମାନେ ଯାହା ପାଇବାର ଯୋଗ୍ୟ ଅଟୁ, ତାହା ହେଉଛି ନରକ । ଯଦି ଆମେ ବିଶ୍ଵାସରେ ଖ୍ରୀଷ୍ଟଙ୍କ ପାଖକୁ ଆସୁ, ତେବେ ଆମ୍ଭମାନଙ୍କୁ ସ୍ଵର୍ଗରେ ଅନନ୍ତ ଜୀବନ ଦିଆଯିବ ।

ହଁ, ବେଳେବେଳେ କିଛି ଲୋକଙ୍କ ପ୍ରତି ଏପରି ବିଷୟ ଘଟିଥାଏ, ଯାହା ସେମାନେ ପାଇବାର ଯୋଗ୍ୟ ପରି ଜଣାଯାଇନଥାଏ । କିନ୍ତୁ ଆମେ ତାହା ବୁଝୁ ବା ନବୁଝୁ ଈଶ୍ଵର ତାହାଙ୍କ ଉଦ୍ଦେଶ୍ୟ ନିମନ୍ତେ ସେଗୁଡ଼ିକ ଘଟିବାକୁ ଦେଇଥାନ୍ତି । ଏ ସମସ୍ତ ଉପରେ, ଆମେ ନିହାତି ମନେ ରଖିବାକୁ ପଡ଼ିବ ଯେ ଈଶ୍ଵର ଉତ୍ତମ, ନ୍ୟାୟବାନ୍‍, ପ୍ରେମମୟ ଓ ଦୟାମୟ ଅଟନ୍ତି । ବେଳେବେଳେ ଆମ୍ଭମାନଙ୍କୁ ଏପରି ବିଷୟଗୁଡିକ ଘଟିଥାଏ, ଯାହା ଆମେ ସରଳ ଭାବରେ ବୁଝିପାରିନଥାଉ । ଅଥଚ, ଈଶ୍ଵରଙ୍କ ଉତ୍ତମତା ବିଷୟରେ ସନ୍ଦେହ କରିବା ପରିବର୍ତ୍ତେ, ଆମ୍ଭେମାନେ ତାହାଙ୍କଠାରେ ଭରସା ରଖିବାକୁ ପଡ଼ିବ । “ତୁମ୍ଭେ ସର୍ବାନ୍ତକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ଵାସ କର ଓ ନିଜ ସୁବିବେଚନାରେ ଆଉଜି ପଡନାହିଁ । ଆପଣାର ସବୁ ଗତିରେ ତାହାଙ୍କୁ ସ୍ଵୀକାର କର; ତହିଁରେ ସେ ତୁମ୍ଭର ପଥସବୁ ସରଳ କରିବେ” (ହିତୋପଦେଶ ୩:୫-୬) ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ଈଶ୍ଵର କାହିଁକି ଉତ୍ତମ ଲୋକମାନଙ୍କ ପ୍ରତି ମନ୍ଦ ବିଷୟ ଘଟିବାକୁ ଦିଅନ୍ତି?
© Copyright Got Questions Ministries