ଆମେ କାହିଁକି ବାଇବଲ ପାଠ କରିବା / ବାଇବଲ ଅଧ୍ୟୟନ କରିବା?


ପ୍ରଶ୍ନ: ଆମେ କାହିଁକି ବାଇବଲ ପାଠ କରିବା / ବାଇବଲ ଅଧ୍ୟୟନ କରିବା?

ଉତ୍ତର:
ଆମେ ବାଇବଲ ପଢୁ ଓ ଅଧ୍ୟୟନ କରିବା ଉଚିତ କାରଣ ଏହା ଆମ୍ଭମାନଙ୍କ ପ୍ରତି ଈଶ୍ଵରଙ୍କ ବାକ୍ୟ ଅଟେ । ବାଇବଲ ଆକ୍ଷରିକ ଭାବେ “ଈଶ୍ଵର-ନିଶ୍ଵସିତ” (୨ତିମଥି ୩:୧୬) । ଅନ୍ୟ ଶବ୍ଦରେ କହିବାକୁ ଗଲେ, ଏହା ପ୍ରକୃତରେ ଆମ୍ଭମାନଙ୍କ ପ୍ରତି ଈଶ୍ଵରଙ୍କ ବାକ୍ୟ । ଦାର୍ଶନିକମାନେ ଅନେକ ପ୍ରଶ୍ନ ପଚାରିଛନ୍ତି ଯାହାର ଉତ୍ତର ଈଶ୍ଵର ଆମ୍ଭମାନଙ୍କୁ ଦେଇଅଛନ୍ତି । ଜୀବନର ଉଦ୍ଦେଶ୍ୟ କ’ଣ? ମୁଁ କେଉଁଠାରୁ ଆସିଛି ? ମୃତ୍ୟୁ ପରେ ଜୀବନ ଅଛିକି? ମୁଁ କିପରି ସ୍ଵର୍ଗକୁ ଯାଇପାରିବି? ଜଗତ କାହିଁକି ମନ୍ଦତାରେ ପରିପୂର୍ଣ୍ଣ? ମୁଁ ଉତ୍ତମ କର୍ମ କରିବା ପାଇଁ କାହିଁକି ସଂଘର୍ଷ କରୁଛି? ଏହି ସମସ୍ତ “ବଡ ବଡ” ପ୍ରଶ୍ନ ସହିତ, ବାଇବଲ ନିମ୍ନ କ୍ଷେତ୍ରରେ ଅନେକ ବ୍ୟବହାରିକ ଉପଦେଶ ଦେଇଥାଏ: ମୋ ଜୀବନସାଥିଠାରେ ମୁଁ କେଉଁ ବିଷୟ ଦେଖିବାକୁ ଚାହୁଁଛି? ମୁଁ କିପରି ଏକ ସଫଳ ବୈବାହିକ ଜୀବନ କାଟିପାରିବି? ମୁଁ କିପରି ଜଣେ ଉତ୍ତମ ବନ୍ଧୁ ହୋଇପାରିବି? ମୁଁ କିପରି ଜଣେ ଭଲ ପିତା ବା ମାତା ହୋଇପାରିବି? ସଫଳତା କ’ଣ ଓ ମୁଁ କିପରି ଏହାକୁ ପାଇପାରିବି? ମୁଁ କିପରି ପରିବର୍ତ୍ତନ ହୋଇପାରିବି? ଜୀବନର ପ୍ରକୃତ ଅର୍ଥ କ’ଣ? ମୁଁ କିପରି ଜୀବନ କାଟିବି ଯଦ୍ୱାରା ମୁଁ ଆଉ ଦୁଃଖ ଅନୁଭବ କରି ପଛକୁ ଚାହିଁବି ନାହିଁ? ମୁଁ କିପରି ଭାବେ ଜୀବନରେ ବିପରୀତ ପରିସ୍ଥିତି ଓ ଖରାପ ଘଟନାଗୁଡ଼ିକୁ ଜୟଯୁକ୍ତ ଭାବରେ ସମ୍ଭାଳିବି?

ଆମେ ବାଇବଲ ପଢ଼ିବା ଓ ଅଧ୍ୟୟନ କରିବା ଉଚିତ କାରଣ ଏହା ସମ୍ପୂର୍ଣ୍ଣ ଭାବରେ ଭରସାଯୋଗ୍ୟ ଓ ତ୍ରୁଟିଶୂନ୍ୟ । ତଥାକଥିତ “ପବିତ୍ର” ପୁସ୍ତକଗୁଡ଼ିକ ମଧ୍ୟରେ ବାଇବଲ ଏକ ବିଶେଷ ପୁସ୍ତକ ଏଇଥିଯୋଗୁଁ ଯେ ଏହା କେବଳ ନୈତିକ ଶିକ୍ଷା ଦିଏ ଓ କୁହେ ନାହିଁ “ମୋତେ ବିଶ୍ଵାସ କର”, ବରଂ ବାଇବଲରେ ଯେଉଁ ଶହ ଶହ ଭାବବାଣୀ ରହିଛି, ଏଥିରେ ଯେଉଁ ଐତିହାସିକ ଘଟନାଗୁଡ଼ିକ ଲେଖାଯାଇଛି ଓ ଏହା ଯେଉଁ ବୈଜ୍ଞାନିକ ସତ୍ୟତାଗୁଡ଼ିକ ସହ ସମ୍ପର୍କିତ ଅଟେ ସେଗୁଡ଼ିକର ଟିକିନିଖି ପରୀକ୍ଷା କରିବା ନିମନ୍ତେ ଆମ୍ଭେମାନେ ସକ୍ଷମ ଅଟୁ । ଯେଉଁମାନେ ବାଇବଲରେ ଭୁଲ୍‍ ରହିଛି ବୋଲି କୁହନ୍ତି, ପ୍ରକୃତରେ ସେମାନେ ବାଇବଲରେ ଥିବା ସତ୍ୟତାକୁ ଶୁଣିବା ନିମନ୍ତେ ମୋଟେ ଚାହାନ୍ତି ନାହିଁ । ଯୀଶୁ ଥରେ ପଚାରିଲେ, କେଉଁଟି ସହଜ “ତୁମ୍ଭର ପାପକ୍ଷମା କରାଗଲା” କିମ୍ବା “ଉଠ, ତୁମ୍ଭର ଖଟିଆ ନେଇ ଚାଲିଯାଅ ।” ତା’ପରେ ସେ ପକ୍ଷାଘାତ ରୋଗୀକୁ ସୁସ୍ଥ କରି (ଏପରି କିଛି ବିଷୟ ଯାହା ତାହାଙ୍କ ଚତୁରପାର୍ଶରେ ଥିବା ଲୋକମାନେ ନିଜ ଚକ୍ଷୁରେ ଦେଖି ପରୀକ୍ଷା କରିପାରିଲେ) ସେ ଯେ ପାପକ୍ଷମା କରିବାକୁ (ଏପରି କିଛି ବିଷୟ ଯାହା ଆମେ ଆମ ଆଖିରେ ଦେଖିପାରିବା ନାହିଁ) ସେ ସକ୍ଷମ ଅଟନ୍ତି ପ୍ରମାଣ କଲେ । ଠିକ୍‍ ସେହିପରି, ଆମ୍ଭେମାନେ ଭରସା ପାଇଛୁ ଯେ ଈଶ୍ଵରଙ୍କ ବାକ୍ୟ ସତ୍ୟ ଯେବେ ଏହା ଆତ୍ମିକ ବିଷୟ ଗୁଡ଼ିକ ଆଲୋଚନା କରିଥାଏ ଯାହାକୁ ଆମେ ଆମ ଇନ୍ଦ୍ରିୟଗୁଡ଼ିକ ଦ୍ଵାରା ଆମେ ପରୀକ୍ଷା କରି ଏହା ସତ୍ୟ ବୋଲି ଦେଖାଇ ଯେଉଁ ବିଷୟ ଗୁଡ଼ିକୁ ଆମ ଇନ୍ଦ୍ରିୟ ପରୀକ୍ଷା କରିପାରେ, ଯେପରିକି – ଐତିହାସିକ ନିର୍ଭୁଲତା, ବୈଜ୍ଞାନିକ ନିର୍ଭୁଲତା ଓ ଭାବବାଣୀ ସମ୍ବନ୍ଧୀୟ ନିର୍ଭୁଲତା ।

ଆମେ ଈଶ୍ଵରଙ୍କ ବାକ୍ୟ ପଢ଼ିବା ଓ ଅଧ୍ୟୟନ କରିବା କାରଣ ଈଶ୍ଵର ପରିବର୍ତ୍ତିତ ହୁଅନ୍ତି ନାହିଁ ଏବଂ ମନୁଷ୍ୟର ପ୍ରକୃତି ପରିବର୍ତ୍ତିତ ହୁଏନାହିଁ; ଏହା ଲେଖାଯିବା ସମୟରେ ଆମ ପ୍ରତି ଯେତେ ପ୍ରାସଙ୍ଗିକ ବା ପ୍ରଯୁଜ୍ୟ ଥିଲା, ସେପରି ଭାବରେ ଆଜି ମଧ୍ୟ ପ୍ରଯୁଜ୍ୟ ଅଟେ । ବୈଷୟିକ ବିଜ୍ଞାନ ପରିବର୍ତ୍ତିତ ହେଉଥିବାସ୍ଥଳେ ମନୁଷ୍ୟର ପ୍ରକୃତି ଓ ଇଛା ପରିବର୍ତ୍ତିତ ହୁଏନାହିଁ । ଆମେ ଯେତେବେଳେ ବାଇବଲ ସମ୍ବନ୍ଧୀୟ ଇତିହାସ ପଢୁ, ଆମେ ଜାଣିପାରୁ ଯେ ଆମେ ଏକକୁ ଏକ ସମ୍ପର୍କ କିମ୍ବା ସମାଜ ବିଷୟରେ କହୁ, “ସୂର୍ଯ୍ୟ ତଳେ କୌଣସି ନୂତନ ବିଷୟ ନାହିଁ” (ଉପଦେଶକ ୧:୯) । ମନୁଷ୍ୟ ସାମଗ୍ରିକ ଭାବେ ଭୁଲ୍‍ ସ୍ଥାନରେ ପ୍ରେମ ଓ ସନ୍ତୁଷ୍ଟି ଖୋଜିଥାଏ, କିନ୍ତୁ କେଉଁ ବିଷୟ ସ୍ଥାୟୀ ଆନନ୍ଦ ଆଣିଦେବ ତାହା ଆମ୍ଭମାନଙ୍କ ଈଶ୍ଵର ଅର୍ଥାତ୍‍ ଆମ୍ଭମାନଙ୍କ ଉତ୍ତମ ଓ ଅନୁଗ୍ରହକାରୀ ସୃଷ୍ଟିକର୍ତ୍ତା କୁହନ୍ତି । ତାହାଙ୍କ ପ୍ରକାଶିତ ବାକ୍ୟ ଅର୍ଥାତ୍‍ ବାଇବଲ ଏତେ ଗୁରୁତ୍ଵ ପୂର୍ଣ୍ଣ ଯେ ଯୀଶୁ ଏ ବିଷୟରେ କହିଛନ୍ତି “ମନୁଷ୍ୟ କେବଳ ରୋଟୀରେ ବଞ୍ଚିବ ନାହିଁ, ମାତ୍ର ଈଶ୍ଵରଙ୍କ ମୁଖରୁ ନିର୍ଗତ ପ୍ରତ୍ୟେକ ବାକ୍ୟରେ ବଞ୍ଚିବ” (ମାଥିଉ ୪:୪) । ଅନ୍ୟ ପ୍ରକାରେ କହିଲେ, ଈଶ୍ଵର ଚାହୁଁଥିବା ଅନୁଯାୟୀ ଯଦି ଆମେ ସମ୍ପୂର୍ଣ୍ଣ ଜୀବନଯାପନ କରିବାକୁ ଚାହୁଁ, ଆମକୁ ନିହାତି ଈଶ୍ଵରଙ୍କ ଲିଖିତ ବାକ୍ୟ ଶୁଣିବାକୁ ଓ ପାଳନ କରିବାକୁ ହେବ ।

ଆମେ ବାଇବଲ ପଢ଼ିବା ଓ ଅଧ୍ୟୟନ କରିବା ଉଚିତ କାରଣ ଜଗତରେ ଅନେକ ଭ୍ରାନ୍ତ ଶିକ୍ଷା ବାହାରିଛି । ବାଇବଲ ଆମ୍ଭମାନଙ୍କୁ ମାପକାଠି ଦେଇଛି ଯଦ୍ୱାରା ଆମେ ଭୁଲ୍‍‍ରୁ ସତ୍ୟକୁ ପ୍ରଭେଦ କରିପାରିବା । ଏହା ଈଶ୍ଵର କିପରି ଅଟନ୍ତି ଆମ୍ଭମାନଙ୍କୁ କୁହେ । ଈଶ୍ଵରଙ୍କ ବିଷୟରେ ଭୁଲ୍‍ ଧାରଣା ରଖିବା ହେଉଛି ପ୍ରତିମାପୂଜା କରିବା ବା ଭ୍ରାନ୍ତ ଦେବତାର ଉପାସନା କରିବା । ସେ ଯାହା ନୁହଁନ୍ତି ତାହାକୁ ଆମେ ପୂଜା କରୁଛୁ । ଆମେ ପ୍ରକୃତରେ କିପରି ସ୍ଵର୍ଗରେ ପହଞ୍ଚିପାରିବା ତାହା ବାଇବଲ ଆମ୍ଭମାନଙ୍କୁ କୁହେ, ଏବଂ ଆମେ ଭଲ ହେଲେ କିମ୍ବା ଜଳ ବାପ୍ତିସ୍ମ ନେଲେ କିମ୍ବା ଅନ୍ୟ କିଛି କରିବା ଦ୍ଵାରା ସ୍ଵର୍ଗକୁ ଯାଇପାରିବା ନାହିଁ (ଯୋହନ ୧୪:୪ ; ଏଫିସୀୟ ୨:୧-୧୦; ଯିଶାଇୟ ୫୩:୬ ; ରୋମୀୟ ୩:୧୦-୧୮ ; ୫:୮ ; ୬:୨୩ ; ୧୦:୯-୧୩ ) । ଏହା ସହ ଈଶ୍ଵରଙ୍କ ବାକ୍ୟ ଆମ୍ଭମାନଙ୍କୁ ଦେଖାଏ ଯେ ଈଶ୍ଵର ଆମ୍ଭମାନଙ୍କୁ କେତେ ପରିମାଣରେ ପ୍ରେମ କରନ୍ତି (ରୋମୀୟ ୫:୬-୮; ଯୋହନ ୩:୧୬) । ଏବଂ ଏହା ଶିଖିବା ପ୍ରତିବଦଳରେ ଆମେ ତାହାଙ୍କୁ ପ୍ରେମ କରିବାକୁ ଆକର୍ଷିତ ହେଉ (୧ଯୋହନ ୪:୧୯) ।

ବାଇବଲ ଆମ୍ଭମାନଙ୍କୁ ଈଶ୍ଵରଙ୍କ ସେବା କରିବା ନିମନ୍ତେ ସଜ୍ଜିତ କରେ (୨ତିମଥି ୩:୧୭; ଏଫିସୀୟ ୬:୧୭ ; ଏବ୍ରୀ ୪:୧୨) । ଆମ୍ଭମାନଙ୍କ ପାପରୁ ଓ ଏହାର ଶେଷ ପରିଣାମରୁ କିପରି ଉଦ୍ଧାର ପାଇବାକୁ ହେବ, ଏହା ଆମ୍ଭମାନଙ୍କୁ କହିଥାଏ (୨ ତିମଥି ୩:୧୫) । ଈଶ୍ଵରଙ୍କ ବାକ୍ୟରେ ଧ୍ୟାନ କରିବା ଓ ଏହାର ଶିକ୍ଷାର ବାଧ୍ୟ ହେଲେ ଏହା ଆମ୍ଭମାନଙ୍କ ଜୀବନରେ ସଫଳତା ଆଣିଦେଇଥାଏ (ଯିହୋଶୂୟ ୧:୮; ଯାକୁବ ୧:୨୫) । ଈଶ୍ଵରଙ୍କ ବାକ୍ୟ ଆମ୍ଭମାନଙ୍କ ଜୀବନରେ ଥିବା ପାପକୁ ଦେଖିବାରେ ସାହାଯ୍ୟ କରିଥାଏ ଓ ଏଥିରୁ ମୁକ୍ତି ପାଇବାକୁ ଆମ୍ଭମାନଙ୍କୁ ସାହାଯ୍ୟ କରିଥାଏ (ଗୀତ ୧୧୯:୯, ୧୧) । ଏହା ଆମ୍ଭମାନଙ୍କୁ ଜୀବନରେ ରାସ୍ତା ଦେଖାଇଥାଏ ଓ ଆମ୍ଭମାନଙ୍କ ଶିକ୍ଷକମାନଙ୍କଠାରୁ ଅଧିକ ବୁଦ୍ଧିମାନ୍‍ କରେ (ଗୀତସଂହିତା ୩୨:୮ ; ୧୧୯:୯୯ ; ହିତୋପଦେଶ ୧:୬ ) । ଯେଉଁ ବିଷୟଗୁଡ଼ିକର କୌଣସି ମାନେ ନାହିଁ ଓ ଯାହା ସ୍ଥାୟୀ ନୁହେଁ ସେପରି ବିଷୟଗୁଡ଼ିକ ନିମନ୍ତେ ବାଇବଲ ଆମ୍ଭମାନଙ୍କ ସମୟ ନଷ୍ଟ ନ କରିବାକୁ କୁହେ (ମାଥିଉ ୭:୨୪-୨୭) ।

ବାଇବଲ ପଢ଼ିଲେ ଓ ଏହାକୁ ଅଧ୍ୟୟନ କଲେ ଏହା ପାପପୂର୍ଣ୍ଣ ପ୍ରଲୋଭନରେ ପକାଇବା ନିମନ୍ତେ ଥିବା ଲୋଭନୀୟ “ଥୋପ”ରୁ ଯନ୍ତ୍ରଣାମୟ “କଣ୍ଟା”ରୁ ଅଧିକ ବିଷୟ ଦେଖିବାରେ ସାହାଯ୍ୟ କରିଥାଏ, ଯେପରିକି ଆମେ ସେଗୁଡ଼ିକ ନିଜେ ନ କରି ଅନ୍ୟମାନଙ୍କର ଭୁଲ୍‍‍ରୁ ଶିଖିପାରିବା । ଅନୁଭୂତି ହେଉଛି ଏକ ମହାନ୍‍ ଶିକ୍ଷକ, କିନ୍ତୁ ପାପରୁ ଶିଖିବାକୁ ହେଲେ ଏହା ଏକ ଭୟଙ୍କର କଠିନ ଶିକ୍ଷକ ହୋଇଥାଏ । ଅନ୍ୟମାନଙ୍କର ଭୁଲ୍‍‍ରୁ ଶିଖିବା ଅଧିକ ଭଲ ହୋଇଥାଏ । ଆମେ ଶିଖିବା ନିମନ୍ତେ ଅନେକ ବାଇବଲ ବ୍ୟକ୍ତିତ୍ବ ରହିଛନ୍ତି, ସେମାନଙ୍କ ମଧ୍ୟରୁ କେତେକ ସେମାନଙ୍କ ଜୀବନରେ ଭିନ୍ନ ଭିନ୍ନ ସମୟରେ ଉଭୟ ସାକାରାତ୍ମକ ନକରାତ୍ମକ ଭୂମିକା ନିଭାଇଛନ୍ତି । ଉଦାହରଣ ସ୍ବରୂପ, ଦାଉଦ ଗଲିୟାତକୁ ପରାଜୟ କରିବା ଆମ୍ଭମାନଙ୍କୁ ଶିକ୍ଷା ଦିଏ ଯେ ଆମ୍ଭମାନଙ୍କୁ ଈଶ୍ଵର ଯେକୌଣସି ବିଷୟର ସମ୍ମୁଖୀନ ହେବା ନିମନ୍ତେ କୁହନ୍ତି (1ଶାମୁୟେଲ 17) ସେ, ସେହି ସମସ୍ତ ବିଷୟ ଅପେକ୍ଷା ବଡ ଅଟନ୍ତି, ଅଥଚ ବେଥଶେବାଙ୍କ ସହ ବ୍ୟଭିଚାର କରିବା ନିମନ୍ତେ ସେ ପ୍ରଲୋଭନରେ ପଡ଼ିଯିବା ପ୍ରକାଶ କରେ ଯେ କ୍ଷଣିକର ପାପପୂର୍ଣ୍ଣ ସୁଖ କେତେ ଦୀର୍ଘସ୍ଥାୟୀ ଓ ଏହାର ପରିଣାମ କେତେ ଭୟଙ୍କର ହୋଇପାରେ (2ଶାମୁୟେଲ 11) ।

ବାଇବଲ କେବଳ ପଢ଼ିବାର ଏକ ପୁସ୍ତକ ନୁହେଁ । ଏହା ଅଧ୍ୟୟନ କରିବାର ଏକ ପୁସ୍ତକ ଯାହାକୁ ପ୍ରୟୋଗ କରାଯାଇପାରିବ । ଯଦି ସେପରି ନ ହୁଏ, ତେବେ ଏହା ଖାଦ୍ୟ ନ ଚୋବାଇ ଗିଳିଦେବା ଓ ଏହାକୁ ପରେ ବାନ୍ତି କରିଦେବାପରି ହେବ, ଜଦ୍ଦ୍ଵାରା ଏଥିରେ କୌଣସି ପୁଷ୍ଟିକର ଉପାଦାନ ମିଳିବ ନାହିଁ । ବାଇବଲ ହେଉଛି ଈଶ୍ଵରଙ୍କ ବାକ୍ୟ । ଯେପରିକି ଏହା ପ୍ରକୃତିର ନିୟମରେ ବନ୍ଧା ପରି ଅଟେ । ଆମେ ଏହାକୁ ଏଡାଇଦେଇ ପାରିବା, କିନ୍ତୁ ଆମେ ଆମର ନିଜ କ୍ଷତି ପାଇଁ ହିଁ ଏହା କରିବା, ଠିକ୍‍ ଯେପରି ଆମେ ମାଧ୍ୟାକର୍ଷଣ ଶକ୍ତିର ଉପସ୍ଥିତିକୁ ଏଡାଇଦେଇପାରିବା, କିନ୍ତୁ ମାଧ୍ୟାକର୍ଷଣ ଶକ୍ତି ରହିଛି । ଆମ୍ଭମାନଙ୍କ ଜୀବନରେ ବାଇବଲ କେତେ ଗୁରୁତ୍ଵପୂର୍ଣ୍ଣ ସେତେ ପରିମାଣରେ ଏହାକୁ ଗୁରୁତ୍ଵ ପ୍ରଦାନ କରାଯାଇପାରିବ ନାହିଁ । ବାଇବଲ ଅଧ୍ୟୟନ କରିବା ହେଉଛି ସୁନାଖଣିରେ ସୁନା ପାଇଁ ଖଣି ଖୋଳିବା । ଯଦି ଆମେ ଅଳ୍ପ ଚେଷ୍ଟା କରୁ ଓ କେବଳ ଅଳ୍ପ ପରୀକ୍ଷାରେ ସୀମିତ ରହିଯାଉ ତେବେ ଆମେ କେବଳ ଅତି ଅଳ୍ପ ସୁନା ଧୂଳି ପାଇବା । କିନ୍ତୁ ଆମେ ପ୍ରକୃତରେ ଯେତେ ଅଧିକ ଗଭୀରରୁ ଗଭୀରକୁ ଖୋଳିବା, ଆମ୍ଭେମାନେ ଆମ୍ଭମାନଙ୍କ ଚେଷ୍ଟାର ଫଳ ପାଇବା ।



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ



ଆମେ କାହିଁକି ବାଇବଲ ପାଠ କରିବା / ବାଇବଲ ଅଧ୍ୟୟନ କରିବା?