settings icon
share icon
ପ୍ରଶ୍ନ

ପୂର୍ବ ନିରୂପଣ କ'ଣ? ପୂର୍ବ ନିରୂପଣ ବାଇବଲ ସମ୍ମତ କି?

ଉତ୍ତର


ରୋମୀୟ ୮:୨୯-୩୦ କୁହେ, "କାରଣ ଯେଉଁମାନଙ୍କୁ ସେ ପୂର୍ବରୁ ଜାଣିଥିଲେ, ସେମାନଙ୍କୁ ତାହାଙ୍କ ପୁତ୍ରଙ୍କ ପ୍ରତିମୂର୍ତ୍ତିର ଅନୁରୂପ ହେବା ନିମନ୍ତେ ସେ ପୂର୍ବରୁ ନିରୂପଣ ମଧ୍ୟ କରିଥିଲେ, ଯେପରି ସେ ଅନେକ ଭ୍ରାତାଙ୍କ ମଧ୍ୟରେ ଅଗ୍ରଜ ହୁଅନ୍ତି । ଆଉ, ଯେଉଁମାନଙ୍କୁ ସେ ପୂର୍ବରୁ ନିରୂପଣ କରିଥିଲେ, ସେମାନଙ୍କୁ ସେ ମଧ୍ୟ ଆହ୍ବାନ କଲେ, ପୁଣି ଯେଉଁମାନଙ୍କୁ ସେ ଆହ୍ବାନ କଲେ, ସେମାନଙ୍କୁ ମଧ୍ୟ ଧାର୍ମିକ ବୋଲି ଗଣିଲେ, ଆଉ ଯେଉଁମାନଙ୍କୁ ସେ ଧାର୍ମିକ ବୋଲି ଗଣିଲେ, ସେମାନଙ୍କୁ ସେ ମଧ୍ୟ ଗୌରବାନ୍ମିତ କଲେ ।" ଏଫିସୀୟ ୧:୫ ଏବଂ ୧୧ ଘୋଷଣା କରେ, "ପୁଣି, ସେ ଆମ୍ଭମାନଙ୍କୁ ଯୀଶୁଖ୍ରୀଷ୍ଟଙ୍କ ଦ୍ବାରା ଆପଣା ନିମନ୍ତେ ପୁତ୍ର କରିବାକୁ ଆପଣା ସ୍ବଚ୍ଛନ୍ଦ ଇଛାନୁସାରେ ଆମ୍ଭମାନଙ୍କୁ ପ୍ରେମରେ ପୂର୍ବରୁ ନିରୂପଣ କଲେ, ...ଯେଣୁ ଯେଉଁ ଈଶ୍ବର ଆପଣା ଇଛାର ସଂକଳ୍ପାନୁସାରେ ସମସ୍ତ ବିଷୟ ସାଧନ କରନ୍ତି, ତାହାଙ୍କ ଅଭିପ୍ରାୟ ଅନୁସାରେ ଆମ୍ଭେମାନେ ପୂର୍ବରୁ ନିରୂପିତ ହେଲୁ," ପୂର୍ବ ନିରୂପଣ ତତ୍ତ୍ବକୁ ଅନେକ ଲୋକଙ୍କର ଦୃଢ ବୈରଭାବ ଅଛି । ଅଥଚ, ପୂର୍ବ ନିରୂପଣ ଏକ ବାଇବଲ ସମ୍ମତ ତତ୍ତ୍ବ । ଏହାର ମୂଳ କଥା ହେଉଛି ବାଇବଲ ଅନୁଯାୟୀ ପୂର୍ବ ନିରୂପଣ କହିଲେ କ'ଣ ବୁଝାଯାଏ, ତାହା ବୁଝିବା ।

ଉପରେ ଦିଆଯାଇଥିବା ଶାସ୍ତ୍ରାଂଶରେ ଥିବା "ପୂର୍ବ ନିରୂପିତ" ("predestined") ଶବ୍ଦଟି ଗ୍ରୀକ୍ ଶବ୍ଦ proorizo ରୁ ଆସିଛି ଯାହା "ପୂର୍ବରୁ ନିର୍ଦ୍ଧାରିତ ହୋଇଛି", "ଅଭିଷେକ କରିବା", "ସମୟ ପୂର୍ବରୁ ନିଷ୍ପତ୍ତି ଗ୍ରହଣ କରିବା" ଅର୍ଥ ବୁଝାଉଛି । ତେଣୁ, ପୂର୍ବ ନିରୂପଣ ହେଉଛି ଈଶ୍ବର ସମୟ ପୂର୍ବରୁ ନିର୍ଦ୍ଧିଷ୍ଟ ବିଷୟଗୁଡିକ ଘଟିବାର ନିର୍ଦ୍ଧାରଣ କରିବା । ଈଶ୍ବର କେଉଁ ବିଷୟକୁ ସମୟ ପୂର୍ବରୁ ନିର୍ଦ୍ଧାରଣ କଲେ? ରୋମୀୟ ୮:୨୯-୩୦ ଅନୁଯାୟୀ ଈଶ୍ବର ନିର୍ଦ୍ଧିଷ୍ଟ ବ୍ୟକ୍ତିବିଶେଷ ତାଙ୍କ ପୁତ୍ରଙ୍କ ପ୍ରତିମୂର୍ତ୍ତିର ଅନୁରୂପ ହେବେ, ଧାର୍ମିକ ବୋଲି ଗଣିତ ହେବେ ଏବଂ ଗୌରବାନ୍ମିତ ହେବେ ବୋଲି ଈଶ୍ବର ପୂର୍ବରୁ ନିରୂପଣ କରିଥିଲେ । ସାରାଂଶ ଭାବରେ, ନିର୍ଦ୍ଧିଷ୍ଟ ବ୍ୟକ୍ତିବିଶେଷ ଉଦ୍ଧାରପ୍ରାପ୍ତ ହେବେ ବୋଲି ଈଶ୍ବର ପୂର୍ବରୁ ନିରୂପଣ କରିଥିଲେ । ଅନେକ ଶାସ୍ତ୍ରାଂଶ ଖ୍ରୀଷ୍ଟଙ୍କଠାରେ ବିଶ୍ବାସୀମାନେ ମନୋନୀତ ବୋଲି ଉଲ୍ଲେଖ କରେ (ମାଥିଉ ୨୪:୨୨, ୩୧; ମାର୍କ ୧୩:୨୦, ୨୭; ରୋମୀୟ ୮:୩୩, ୯:୧୧, ୧୧:୫-୭, ୨୮; ଏଫିସୀୟ ୧:୧୧; କଲସୀୟ ୩:୧୨; ୧ଥେସଲନିକୀୟ ୧:୪; ୧ତିମଥି ୫:୨୧; ୨ତିମଥି ୨:୧୦; ତିତସ ୧:୨; ୧ପିତର ୧:୧-୨, ୨:୯; ୨ପିତର ୧:୧୦) । ପୂର୍ବ ନିରୂପଣ ହେଉଛି ଏକ ବାଇବଲ ସମ୍ମତ ତତ୍ତ୍ବ ଯାହା ଈଶ୍ବର ତାଙ୍କ ସାର୍ବଭୌମତ୍ବ ଦ୍ବାରା ନିର୍ଦ୍ଧିଷ୍ଟ ବ୍ୟକ୍ତିବିଶେଷଙ୍କୁ ଉଦ୍ଧାରପ୍ରାପ୍ତ ହେବା ନିମନ୍ତେ ମନୋନୀତ କରନ୍ତି ।

ପୂର୍ବ ନିରୂପଣ ତତ୍ତ୍ବର ସବୁଠାରୁ ଅଧିକ ସାଧାରଣ ଆପତ୍ତି ହେଉଛି ଯେ ଏହା ଅନ୍ୟାୟ । ଈଶ୍ବର କେବଳ କେତେକ ବ୍ୟକ୍ତିଙ୍କୁ ହିଁ କାହିଁକି ମନୋନୀତ କରିବେ ଏବଂ କାହିଁକି ଅନ୍ୟମାନଙ୍କୁ ମନୋନୀତ କରିବେ ନାହିଁ? ସ୍ମରଣରେ ରଖିବାର ଏକ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି କୌଣସି ବ୍ୟକ୍ତି ଉଦ୍ଧାରପ୍ରାପ୍ତ ହେବାକୁ ଯୋଗ୍ୟ ନୁହନ୍ତି । ଆମେ ସମସ୍ତେ ପାପ କରିଅଛୁ (ରୋମୀୟ ୩:୨୩), ଏବଂ ସମସ୍ତ ଅନନ୍ତ ଦଣ୍ଡର ଯୋଗ୍ୟ ଅଟୁ (ରୋମୀୟ ୬:୨୩) । ଫଳ ସ୍ବରୂପ, ଆମ ସମସ୍ତଙ୍କୁ ନରକରେ ଅନନ୍ତକାଳ କ୍ଷେପଣ କରିବାକୁ ଦେଇ ଈଶ୍ବର ସମ୍ପୂର୍ଣ୍ଣରୂପେ ନ୍ୟାୟବାନ୍ ହୋଇଥାନ୍ତେ । ଯାହା ବି ହେଉ, ଈଶ୍ବର ଆମ କେତେକଙ୍କ ମଧ୍ୟରୁ ଈଶ୍ବର ଉଦ୍ଧାର କରିବା ନିମନ୍ତେ ମନୋନୀତ କରନ୍ତି । ଯେଉଁମାନେ ମନୋନୀତ ହୋଇନାହାନ୍ତି ସେମାନଙ୍କ ପ୍ରତି ସେ ଅନ୍ୟାୟ କରିନାହାନ୍ତି, କାରଣ ସେମାନେ ଯାହା ପାଇବାର ଯୋଗ୍ୟ ତାହା ପାଉଅଛନ୍ତି । ଈଶ୍ବର କେତେକଙ୍କ ପ୍ରତି ଦୟାଶୀଳ ହେବା ନିମନ୍ତେ ଚୟନ କରିବା ଅନ୍ୟମାନଙ୍କ ପ୍ରତି ଅନ୍ୟାନ୍ୟ ନୁହେଁ । ଈଶ୍ବରଙ୍କଠାରୁ କୌଣସି ବ୍ୟକ୍ତି କୌଣସି ଉତ୍ତମ ବିଷୟ ପାଇବାର ଯୋଗ୍ୟ ନୁହନ୍ତି; ଅତଏବ, ଈଶ୍ବରଙ୍କଠାରୁ କିଛି ବିଷୟ ନ ପାଇଲେ କୌଣସି ବ୍ୟକ୍ତି ଆପତ୍ତି କରିପାରିବେ ନାହିଁ । ଏହାର ଏକ ବ୍ୟାଖ୍ୟା ଏହିପରି ହେବ ଯେ, ଜଣେ ବ୍ୟକ୍ତି କୋଡିଏ ଜଣ ଥିବା ଗହଳିରେ ପାଞ୍ଚଜଣ ବ୍ୟକ୍ତିଙ୍କୁ ଅର୍ଥ ଦେବ । ଅର୍ଥ ପାଇ ନ ଥିବା ପନ୍ଦର ଜଣ କ'ଣ ଅସ୍ବସ୍ତି ହେବେ? ସମ୍ଭବତଃ ସେପରି ହେବେ । ସେମାନେ ଅସ୍ବସ୍ତ ହେବାର କିଛି ଅଧିକାର ଅଛି କି? ନା, ସେମାନଙ୍କର କୌଣସି ଅଧିକାର ନାହିଁ । କାହିଁକି? କାରଣ ସେହି ବ୍ୟକ୍ତି କୌଣସି ଲୋକଙ୍କୁ ଅର୍ଥ ବାକି ନାହିଁ । ସେ କେବଳ କେତେକଙ୍କ ପ୍ରତି ଦୟାଶୀଳ ହେବା ନିଷ୍ପତ୍ତି ନେଲେ ।

ଯେଉଁମାନେ ଉଦ୍ଧାରପ୍ରାପ୍ତ ଅଟନ୍ତି ଯଦି ଈଶ୍ବର ସେମାନଙ୍କୁ ମନୋନୀତ କରନ୍ତି, ମନୋନୟନ କରିବା ନିମନ୍ତେ ଏବଂ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରିବାର ସ୍ବାଧୀନ ଇଛାକୁ ଦୁର୍ବଳ କରେ ନାହିଁ କି? ବାଇବଲ କୁହେଯେ ଆମ୍ଭେମାନେ ଚୟନ କରିବାର କ୍ଷମତା ଅଛି - ଯେଉଁମାନେ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରନ୍ତି ସେମାନେ ଉଦ୍ଧାରପ୍ରାପ୍ତ ହେବେ (ଯୋହନ ୩:୧୬; ରୋମୀୟ ୧୦:୯-୧୦) । ବାଇବଲ କେବେ ବି କୁହେ ନାହିଁ ଯେ, ଯେଉଁମାନେ ତାଙ୍କଠାରେ ବିଶ୍ବାସ କରନ୍ତି ସେପରି ଯେକୌଣସି ବ୍ୟକ୍ତିଙ୍କୁ ସେ ପ୍ରତ୍ୟାଖ୍ୟାନ କରନ୍ତି କିମ୍ବା ଯେ ତାଙ୍କର ଅନ୍ବେଷଣ କରେ ତା' ଠାରୁ ଆପଣା ମୁଖ ଫେରାଇ ନିଅନ୍ତି (ଦ୍ବିତୀୟ ବିବରଣ ୪:୨୯) । ଯେକୌଣସିମତେ, ଈଶ୍ବରଙ୍କ ରହସ୍ୟରେ, ଜଣ ବ୍ୟକ୍ତି ଈଶ୍ବରଙ୍କ ଦ୍ବାରା ଆକର୍ଷିତ ହେବା (ଯୋହନ ୬:୪୪) ଏବଂ ପରିତ୍ରାଣ ନିମନ୍ତେ ବିଶ୍ବାସ କରିବା (ରୋମୀୟ ୧:୬) ସହିତ ପୂର୍ବ ନିରୂପଣ ସାଥେ ସାଥେ ଚାଲେ । କେଉଁମାନେ ଉଦ୍ଧାରପ୍ରାପ୍ତ ହେବେ ତାହା ଈଶ୍ବର ପୂର୍ବରୁ ନିରୂପଣ କରିଅଛନ୍ତି, ଏବଂ ବିଶ୍ବାସ କରିବା ନିମନ୍ତେ ଆମେ ନିହାତି ଖ୍ରୀଷ୍ଟଙ୍କୁ ଚୟନ କରିବାକୁ ପଡିବ । ଉଭୟ ଘଟନା ସମାନଭାବେ ସତ୍ୟ ଅଟେ । ରୋମୀୟ ୧୧:୩୩ ଘୋଷଣା କରେ, "ଆହା! ଈଶ୍ବରଙ୍କ ବୁଦ୍ଧି ଓ ଜ୍ଞାନରୂପ ନିଧି କେଡେ ଗଭୀର! ତାହାଙ୍କର ବିଚାରସବୁ କିପରି ବୋଧର ଅଗମ୍ୟ ଓ ତାହାଙ୍କର ପଥସବୁ କିଭଳି ଅନନୁସନ୍ଧେୟ!"

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ପୂର୍ବ ନିରୂପଣ କ'ଣ? ପୂର୍ବ ନିରୂପଣ ବାଇବଲ ସମ୍ମତ କି?
© Copyright Got Questions Ministries