settings icon
share icon
ପ୍ରଶ୍ନ

ଆମେ କାହାକୁ ପ୍ରାର୍ଥନା କରିବା ଉଚିତ୍ – ପିତାଙ୍କୁ ପ୍ରାର୍ଥନା କରିବା, ପୁତ୍ରଙ୍କୁ ପ୍ରାର୍ଥନା କରିବା, ନା ପବିତ୍ରଆତ୍ମାଙ୍କୁ ପ୍ରାର୍ଥନା କରିବା ?

ଉତ୍ତର


ସମସ୍ତ ପ୍ରାର୍ଥନା ଆମ୍ଭମାନଙ୍କର ତ୍ରିତ୍ବ ଈଶ୍ବରଙ୍କ ନିକଟକୁ ପ୍ରେରିତ ହେବା ଉଚିତ୍ - ପିତା, ପୁତ୍ର ଏବଂ ପବିତ୍ରଆତ୍ମା । ବାଇବଲ ଶିକ୍ଷା ଦିଏ ଯେ, ଆମେ ତ୍ରିତ୍ବ ଈଶ୍ବରଙ୍କ ମଧ୍ୟରୁ ଜଣକୁ କିମ୍ବା ତିନିଜଣଙ୍କୁ ମଧ୍ୟ ପ୍ରାର୍ଥନା କରିପାରିବା, କାରଣ ସେହି ସମସ୍ତ ତିନିଜଣ ଏକ ଅଟନ୍ତି । ପିତାଙ୍କୁ ଆମେ ଗୀତ ରଚକଙ୍କ ସହ ପ୍ରାର୍ଥନା କରୁ, "ହେ ମୋହର ରାଜନ୍, ହେ ମୋହର ପରମେଶ୍ବର, ମୋହର ଆର୍ତ୍ତନାଦରେ କର୍ଣ୍ଣପାତ କର; କାରଣ ତୁମ୍ଭ ନିକଟରେ ମୁଁ ପ୍ରାର୍ଥନା କରେ" (ଗୀତ ୫:୨) । ପିତାଙ୍କୁ ଆମେ ଯେପରି ପ୍ରାର୍ଥନା କରୁ ଯୀଶୁଙ୍କୁ ସେପରି ପ୍ରାର୍ଥନା କରୁ, କାରଣ ସେମାନେ ସମାନ ଅଟନ୍ତି । ତ୍ରିତ୍ବ ଈଶ୍ବରଙ୍କ ମଧ୍ୟରୁ ଜଣଙ୍କୁ ପ୍ରାର୍ଥନା କଲେ, ତ୍ରିତ୍ବ ଈଶ୍ବରଙ୍କଠାରେ ତିନିଜଣଙ୍କୁ ପ୍ରାର୍ଥନା କରିବା ସହ ସମାନ । ସ୍ତିଫାନ ଶହୀଦ ହେବା ସମୟରେ ପ୍ରାର୍ଥନା କଲେ, "ହେ ପ୍ରଭୁ ଯୀଶୁ, ମୋର ଆତ୍ମା ଗ୍ରହଣ କର" (ପ୍ରେରିତ ୭:୫୯) । ଖ୍ରୀଷ୍ଟଙ୍କ ନାମରେ ମଧ୍ୟ ଆମ୍ଭମାନଙ୍କୁ ପ୍ରାର୍ଥନା କରିବା ନିମନ୍ତେ କୁହାଯାଇଛି । ପାଉଲ ଏଫିସୀୟ ବିଶ୍ବାସୀମାନଙ୍କୁ "ସର୍ବଦା ସର୍ବ ବିଷୟ ନିମନ୍ତେ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ପିତା ଈଶ୍ବରଙ୍କୁ ଧନ୍ୟବାଦ..." (ଏଫିସୀୟ ୫:୨୦) ଦେବା ନିମନ୍ତେ ଉତ୍ସାହିତ କରି କହିଛନ୍ତି । ଯୀଶୁ ତାଙ୍କ ଶିଷ୍ୟମାନଙ୍କୁ ଭରସା ଦେଇ କହିଲେ ଯେ, ସେମାନେ ଯାହାକିଛି ତାଙ୍କ ନାମରେ - ତା' ଅର୍ଥ ହେଉଛି ତାଙ୍କ ଇଛାରେ - ମାଗିବେ, ସେ ତାହା ସେମାନଙ୍କୁ ଦେବେ (ଯୋହନ ୧୫:୧୬; ୧୬:୨୩) । ଠିକ୍ ସେହିପରି, ପବିତ୍ରଆତ୍ମାଙ୍କୁ ତାଙ୍କ ଶକ୍ତିରେ ପ୍ରାର୍ଥନା କରିବା ନିମନ୍ତେ ଆମ୍ଭମାନଙ୍କୁ କୁହାଯାଇଛି । ଏପରିକି ଆମେ କିପରି ଓ କ'ଣ ମାଗି ପ୍ରାର୍ଥନା କରିବାକୁ ହେବ ତାହା ଜାଣି ନ ଥିଲେ ସୁଦ୍ଧା ପବିତ୍ରଆତ୍ମା ଆମ୍ଭମାନଙ୍କୁ ପ୍ରାର୍ଥନା କରିବାରେ ସାହାଯ୍ୟ କରନ୍ତି (ରୋମୀୟ ୮:୨୬; ଯିହୂଦା ୨୦) । ପ୍ରାର୍ଥନାରେ ତ୍ରିତ୍ବ ଈଶ୍ବରଙ୍କ ଭୂମିକା ବୁଝିବାର ସର୍ବୋତ୍କୃଷ୍ଟ ଉପାୟ ବୋଧହୁଏ ଆମେ ପିତାଙ୍କୁ, ପୁତ୍ରଙ୍କ ଦ୍ବାରା (ବା ତାହାଙ୍କ ନାମରେ), ପବିତ୍ରଆତ୍ମାଙ୍କ ଶକ୍ତିରେ ପ୍ରାର୍ଥନା କରୁ । ଏହି ତିନି ଜଣ ବିଶ୍ବାସୀଙ୍କ ପ୍ରାର୍ଥନାରେ ସକ୍ରିୟ ଅଂଶଗ୍ରହଣକାରୀ ଅଟନ୍ତି ।

ସମାନ ଭାବରେ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଯେ, ଆମେ କାହାକୁ ପ୍ରାର୍ଥନା କରିବାକୁ ହେବ ନାହିଁ । କିଛି ଅଣ-ଖ୍ରୀଷ୍ଟିୟାନ ଧର୍ମାବଲମ୍ବୀମାନେ ବିଭିନ୍ନ ଦେଶର ଦେବାଦେବୀଙ୍କୁ, ମୃତ ସମ୍ପର୍କୀୟମାନଙ୍କୁ, ସାଧୁମାନଙ୍କୁ ଏବଂ ଆତ୍ମାଗଣଙ୍କୁ ପ୍ରାର୍ଥନା କରିବା ନିମନ୍ତେ ସେମାନଙ୍କର ଅନୁଗାମୀଗଣଙ୍କୁ କହିଥାନ୍ତି । ରୋମୀୟ (ରୋମାନ୍) କାଥୋଲିକମାନେ ମରିୟମ (ଯୀଶୁଙ୍କ ଜାଗତିକ ମାତା) ଓ ବିଭିନ୍ନ ସାଧୁଗଣଙ୍କୁ ପ୍ରାର୍ଥନା କରିବା ପାଇଁ ଶିକ୍ଷା ଦେଇଥାନ୍ତି । ଏହି ସମସ୍ତ ପ୍ରାର୍ଥନା ଶାସ୍ତ୍ରାନୁମୋଦିତ ନୁହେଁ, ଏବଂ ବାସ୍ତବରେ, ଆମ୍ଭମାନଙ୍କର ସ୍ବର୍ଗୀୟ ପିତାଙ୍କ ପ୍ରତି ଏକ ଅପମାନ ଅଟେ । ଏହା କାହିଁକି ଏକ ଅପମାନ, ତାହା ବୁଝିବା ନିମନ୍ତେ, ଆମେ ପ୍ରାର୍ଥନାର ପ୍ରକୃତି ଉପରେ କେବଳ ନିରୀକ୍ଷଣ କରିବା ଉଚିତ୍ । ପ୍ରାର୍ଥନାର ବିଭିନ୍ନ ଉପାଦାନ ଅଛି ଏବଂ ଯଦି ଆମେ ସେଗୁଡିକ ମଧ୍ୟରୁ କେବଳ ଦୁଇଟିକୁ ଦେଖିବା ଯଥା - ପ୍ରଶଂସା ଏବଂ ଧନ୍ୟବାଦାର୍ପଣ, ଆମେ ଦେଖିପାରିବା ଯେ, ପ୍ରାର୍ଥନାର ସାର ଭାବରେ ପ୍ରାର୍ଥନାକୁ ଦେଖିଲେ, ଏହା ହେଉଛି ଉପାସନା । ଯେତେବେଳେ ଆମେ ଈଶ୍ବରଙ୍କ ପ୍ରଶଂସା କରୁ, ଆମେ ତାଙ୍କ ବୈଶିଷ୍ଟ୍ୟସକଳ ଓ ଆମ ଜୀବନରେ ତାଙ୍କ କାର୍ଯ୍ୟ ନିମନ୍ତେ ଆମେ ତାଙ୍କର ଉପାସନା ବା ପୂଜା କରୁ । ଆମେ ଯେତେବେଳେ ପ୍ରାର୍ଥନା ବା ଧନ୍ୟବାଦାର୍ପଣ କରୁ, ଆମେ ଆମ ପ୍ରତି ଥିବା ତାଙ୍କ ଉତ୍ତମତା, ଦୟା, ଏବଂ କରୁଣାକୁ ଉପାସନା କରୁ । ଉପାସନା ଈଶ୍ବରଙ୍କୁ ଗୌରବ ପ୍ରଦାନ କରେ, ଯିଏକି ଏକମାତ୍ର ବ୍ୟକ୍ତି ଯିଏ ଗୌରବାନ୍ମିତ ହେବା ନିମନ୍ତେ ଯୋଗ୍ୟ ଅଟନ୍ତି । ଈଶ୍ବରଙ୍କ ବ୍ୟତୀତ ଅନ୍ୟ କାହାକୁ ପ୍ରାର୍ଥନା କରିବାର ସମାସ୍ୟାଟି ହେଉଛି ସେ ଅନ୍ୟ କାହାକୁ ଆପଣା ଗୌରବର ଅଂଶୀ କରାନ୍ତି ନାହିଁ ଅର୍ଥାତ୍ ସେ ଅନ୍ୟ କାହାକୁ ଆପଣା ଗୌରବ ଦିଅନ୍ତି ନାହିଁ । ପ୍ରକୃତରେ, ଈଶ୍ବରଙ୍କ ବ୍ୟତୀତ ଅନ୍ୟ କାହାକୁ ବା ଅନ୍ୟ ବିଷୟକୁ ପ୍ରାର୍ଥନା କରିବା ହେଉଛି ପ୍ରତିମାପୂଜା । "ଆମ୍ଭେ ସଦାପ୍ରଭୁ: ଏହି ଆମ୍ଭର ନାମ; ପୁଣି, ଆମ୍ଭେ ଆପଣା ଗୌରବ ଅନ୍ୟକୁ, କିଅବା ଆପଣା ପ୍ରଶଂସା ଖୋଦିତ ପ୍ରତିମାଗଣକୁ ଦେବୁନାହିଁ" (ଯିଶାଇୟ ୪୨:୮) ।

ପ୍ରାର୍ଥନାର ଅନ୍ୟ ଉପାଦାନସକଳ ଯେପରିକି ଅନୁତାପ, ପାପସ୍ବୀକାର, ଏବଂ ନିବେଦନ ମଧ ଉପାସନାର ଅନ୍ୟ ଆକାର ଅଟନ୍ତି । ଈଶ୍ବର ଯେ ଏକ କ୍ଷମାବାନ୍ ଏବଂ ପ୍ରେମମୟ ଈଶ୍ବର ଏବଂ କ୍ରୁଶରେ ତାଙ୍କ ପୁତ୍ରଙ୍କ ବଳିଦାନରେ କ୍ଷମାର ଏକ ମାଧ୍ୟମ ପ୍ରଦାନ କରିଅଛନ୍ତି ଜାଣି ହିଁ ଅନୁତାପ କରୁ । ଆମେ ଆମର ପାପ ସ୍ବୀକାର କରୁ କାରଣ ଆମେ ଜାଣୁ "ଯଦି ଆମ୍ଭେମାନେ ଆପଣା ଆପଣା ପାପ ସ୍ବୀକାର କରୁ, ତେବେ ସେ ଆମ୍ଭମାନଙ୍କର ପାପ କ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ଆମ୍ଭମାନଙ୍କୁ ପରିଷ୍କାର କରିବାକୁ ବିଶ୍ବସ୍ତ ଓ ନ୍ୟାୟବାନ୍ ଅଟନ୍ତି" (୧ଯୋହନ ୧:୯) ଏବଂ ଆମେ ଏଇଥିଯୋଗୁଁ ତାଙ୍କ ଉପାସନା କରୁ । ଆମେ ଆମ୍ଭମାନଙ୍କର ନିବେଦନ ଓ ମଧ୍ୟସ୍ଥି ପ୍ରାର୍ଥନା ବା ଗୁହାରୀ ଜଣାଇଥାଉ କାରଣ ଆମେ ଜାଣୁ ଯେ ସେ ଆମ୍ଭମାନଙ୍କୁ ପ୍ରେମ କରନ୍ତି ଏବଂ ଆମ୍ଭମାନଙ୍କର ପ୍ରାର୍ଥନା ଶୁଣନ୍ତି, ଏବଂ ଆମେ ତାଙ୍କ କରୁଣା ଏବଂ ଦୟା ଯୋଗୁଁ ତାଙ୍କ ଉପାସନା କରିଥାଉ ଯେହେତୁ ସେ ଶୁଣି ଉତ୍ତର ଦେବା ନିମନ୍ତେ ଦୟାବାନ୍ ଓ କରୁଣାମୟ ହୋଇଥାନ୍ତି । ଯେତେବେଳେ ଆମେ ଏହି ସମସ୍ତ ବିଷୟକୁ ବିବେଚନା କରୁ, ଆମ୍ଭମାନଙ୍କର ତ୍ରିତ୍ବ ଈଶ୍ବରଙ୍କ ବିହୂନେ ଅନ୍ୟ କାହାକୁ ପ୍ରାର୍ଥନା କରିବା ହେଉଛି କଳ୍ପନାତୀତ କାରଣ ପ୍ରାର୍ଥନା ହେଉଛି ଉପାସନାର ଏକ ଆକାର, ଏବଂ ଉପାସନା ଈଶ୍ବରଙ୍କ ନିମନ୍ତେ ଓ କେବଳ ଈଶ୍ବରଙ୍କ ନିମନ୍ତେ ହିଁ ସଂରକ୍ଷିତ ହୋଇ ରହିଛି । ଆମେ କାହାକୁ ପ୍ରାର୍ଥନା କରିବାକୁ ହେବ? ଉତ୍ତରଟି ହେଉଛି ଈଶ୍ବର । ଆମ୍ଭେମାନେ ଆମ୍ଭମାନଙ୍କ ପ୍ରାର୍ଥନାରେ ତ୍ରିତ୍ବ ଈଶ୍ବରଙ୍କ କେଉଁ ବ୍ୟକ୍ତିଙ୍କୁ ସମ୍ବୋଧନ କରି ପ୍ରାର୍ଥନା କରୁଛୁ ତାହାଠାରୁ ଅତ୍ୟଧିକ ପରିମାଣରେ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଈଶ୍ବରଙ୍କୁ ପ୍ରାର୍ଥନା କରିବା ଏବଂ କେବଳ ଈଶ୍ବରଙ୍କୁ ହିଁ ପ୍ରାର୍ଥନା କରିବା ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ଆମେ କାହାକୁ ପ୍ରାର୍ଥନା କରିବା ଉଚିତ୍ – ପିତାଙ୍କୁ ପ୍ରାର୍ଥନା କରିବା, ପୁତ୍ରଙ୍କୁ ପ୍ରାର୍ଥନା କରିବା, ନା ପବିତ୍ରଆତ୍ମାଙ୍କୁ ପ୍ରାର୍ଥନା କରିବା ? ପ୍ରାର୍ଥନା କରିବା ସମୟରେ ଆମେ ଯାହାଙ୍କୁ ସମ୍ବୋଧନ କରି ପ୍ରାର୍ଥନା କରୁ, ତାହା କିଛି ବୁଝାଏ କି?
© Copyright Got Questions Ministries