settings icon
share icon
ପ୍ରଶ୍ନ

ଜଣେ ଭ୍ରାନ୍ତ ଶିକ୍ଷକ/ଭଣ୍ଡ ଭାବବାଦୀକୁ ମୁଁ କିପରି ଚିହ୍ନିପାରିବି?

ଉତ୍ତର


ଯୀଶୁ ଆମ୍ଭମାନଙ୍କୁ ସତର୍କ କରାଇଦେଇଛନ୍ତି ଯେ, "ଭଣ୍ଡ ଖ୍ରୀଷ୍ଟ ଓ ଭଣ୍ଡ ଭାବବାଦୀମାନେ" ଆସି ଭ୍ରାନ୍ତ କରିବେ ଏପରିକି ମନୋନୀତ ଲୋକମାନଙ୍କୁ ସୁଦ୍ଧା ଭ୍ରାନ୍ତ କରିବେ (ମାଥିଉ ୨୪:୨୩-୨୭; ଆହୁରି ଦେଖନ୍ତୁ ୨ପିତର ୩:୩ ଏବଂ ଯିହୂଦା ୧୭-୧୮) ଅସତ୍ୟ ଏବଂ ଭ୍ରାନ୍ତ ଶିକ୍ଷକମାନଙ୍କଠାରୁ ଆପଣ ନିଜକୁ ରକ୍ଷା କରିବା ନିମନ୍ତେ ସର୍ବୋତ୍ତମ ଉପାୟ ହେଉଛି ସତ୍ୟତାକୁ ଜାଣିବା । ଏକ ନକଲ ବିଷୟକୁ ଚିହ୍ନିତ କରିବା ନିମନ୍ତେ ବାସ୍ତବ ବିଷୟକୁ ଅଧ୍ୟୟନ କରନ୍ତୁ । "ସତ୍ୟ ବାକ୍ୟ ଯଥାର୍ଥ ରୂପେ ବ୍ୟବହାର କରୁଥିବା" (୨ତିମଥି ୨:୧୫) ଯେକୌଣସି ବିଶ୍ବାସୀ ଏବଂ ଯିଏ ବାଇବଲକୁ ଯତ୍ନର ସହ ଅଧ୍ୟୟନ କରେ ସେମାନେ ଭ୍ରାନ୍ତ ଧର୍ମତତ୍ତ୍ବକୁ ଚିହ୍ନିପାରିବେ । ଉଦାହରଣ ସ୍ବରୂପ, ଯେଉଁ ବିଶ୍ବାସୀ ମାଥିଉ ୩:୧୬-୧୭ରେ ପିତା, ପୁତ୍ର ଏବଂ ପବିତ୍ରଆତ୍ମାଙ୍କ କାର୍ଯ୍ୟାବଳୀ ବିଷୟରେ ପଠନ କରିଛି, ସିଏ ତ୍ରିତ୍ବ ଈଶ୍ବର ମତବାଦକୁ ଅସ୍ବୀକାର କରୁଥିବା ଯେକୌଣସି ଧର୍ମତତ୍ତ୍ବ ବିଷୟରେ ସାଙ୍ଗେ ସାଙ୍ଗେ ପ୍ରଶ୍ନ କରିବ । ଅତଏବ, ପ୍ରଥମ ପଦକ୍ଷେପ ହେଉଛି ବାଇବଲ ଅଧ୍ୟୟନ କରିବା ଏବଂ ଶାସ୍ତ୍ର ଯାହା କୁହେ ସେହି ଅନୁଯାୟୀ ସମସ୍ତ ଶିକ୍ଷାକୁ ବିଚାର କରିବା ।

ଯୀଶୁ କହିଲେ, "ଗଛ ଫଳ ଦ୍ବାରା ଚିହ୍ନାଯିବ" (ମାଥିଉ ୧୨:୩୩) । ଯେତେବେଳେ "ଫଳ"କୁ ଦେଖିବା, ସେତେବେଳେ ଜଣେ ଶିକ୍ଷକଙ୍କ ଶିକ୍ଷାର ନିର୍ଭୁଲତା ନିର୍ଦ୍ଧାରଣ କରିବା ନିମନ୍ତେ ଯେକୌଣସି ଶିକ୍ଷକଙ୍କ କ୍ଷେତ୍ରରେ ପ୍ରୟୋଗ କରିବା ନିମନ୍ତେ ଏଠାରେ ତିନିଗୋଟି ନିର୍ଦ୍ଧିଷ୍ଟ ପରୀକ୍ଷା ଦିଆଗଲା :

(୧) ଯୀଶୁଙ୍କ ବିଷୟରେ ଏହି ଶିକ୍ଷକ କ'ଣ କୁହନ୍ତି? ମାଥିଉ ୧୬:୧୫-୧୬ରେ ଯୀଶୁ ପଚାରନ୍ତି, "ମୁଁ କିଏ ବୋଲି ତୁମ୍ଭେମାନେ କ'ଣ କହୁଅଛ?" ପିତର ଉତ୍ତର ଦିଅନ୍ତି, "ଆପଣ ଖ୍ରୀଷ୍ଟ, ଜୀବନ୍ତ ଈଶ୍ବରଙ୍କ ପୁତ୍ର" ଏବଂ ଏହି ଉତ୍ତର ପାଇଁ ପିତର "ଧନ୍ୟ" ହୁଅନ୍ତି । ୨ଯୋହନ ୯ରେ ଆମେ ପାଠ କରୁ "ଯେକେହି ଖ୍ରୀଷ୍ଟଙ୍କ ଶିକ୍ଷାର ସୀମା ମଧ୍ୟରେ ନ ରହି ତାହା ଅତିକ୍ରମ କରେ, ସେ ଈଶ୍ବରଙ୍କୁ ପାଇନାହିଁ; ଯେ ଶିକ୍ଷାର ସୀମା ମଧ୍ୟରେ ରହେ, ସେ ପିତା ଓ ପୁତ୍ର ଉଭୟଙ୍କୁ ପାଇଅଛି ।" ଅନ୍ୟ ଅର୍ଥରେ, ଯୀଶୁ ଖ୍ରୀଷ୍ଟ ଏବଂ ତାଙ୍କ ପ୍ରାୟଶ୍ଚିତ କାର୍ଯ୍ୟ ସର୍ବୋଚ୍ଚ ଗୁରୁତ୍ବପୂର୍ଣ୍ଣ ଅଟେ; ଯୀଶୁ ଈଶ୍ବରଙ୍କ ସହ ସମତୁଲ ଅଟନ୍ତି ବୋଲି ଯେଉଁମାନେ ଅସ୍ବୀକାର କରନ୍ତି, ଯେଉଁମାନେ ଯୀଶୁଙ୍କ ବଳିକୃତ ମୃତ୍ୟୁକୁ ତୁଚ୍ଚ କରନ୍ତି, କିମ୍ବା ଯେଉଁମାନେ ଯୀଶୁଙ୍କ ମାନବତ୍ବକୁ ପ୍ରତ୍ୟାଖ୍ୟାନ କରନ୍ତି ସେମାନଙ୍କ ପ୍ରତି ସାବଧାନ । ପ୍ରଥମ ଯୋହନ ୨:୨୨ କୁହେ "ଯୀଶୁ ଯେ ଖ୍ରୀଷ୍ଟ ଅଟନ୍ତି, ଏହା ଯେ ନାସ୍ତି କରେ, ତାହାଠାରୁ ଆଉ ମିଥ୍ୟାବାଦୀ କିଏ? ଯେ ପିତା ଓ ପୁତ୍ରଙ୍କୁ ନାସ୍ତି କରେ, ସେ ତ ସେହି ଖ୍ରୀଷ୍ଟାରୀ ।"

(୨) ସେହି ଶିକ୍ଷକ ସୁସମାଚାର ପ୍ରଚାର କରନ୍ତି କି? ଶାସ୍ତ୍ରାନୁସାରେ ଯୀଶୁଙ୍କ ମୃତ୍ୟୁ, ସମାଧିପ୍ରାପ୍ତ ଏବଂ ପୁନରୁତ୍ଥାନ ବିଷୟକ ଶୁଭ ସମ୍ବାଦକୁ ସୁସମାଚାର ଭାବେ ବ୍ୟାଖ୍ୟା କରାଯାଇଛି (୧କରିନ୍ଥୀୟ ୧୫:୧-୪) । "ଈଶ୍ବର ଆପଣଙ୍କୁ ପ୍ରେମ କରନ୍ତି", "କ୍ଷୁଧିତମାନଙ୍କୁ ଖୁଆଇବା ନିମନ୍ତେ ଈଶ୍ବର ଆମ୍ଭମାନଙ୍କୁ ଚାହାନ୍ତି", ଏବଂ "ଈଶ୍ବର ଆପଣଙ୍କୁ ଧନଶାଳୀ ହେବା ଚାହାନ୍ତି" ପରି ବାର୍ତ୍ତା ଗୁଡିକ ବହୁତ ସୁନ୍ଦର ଶୁଣାଯାଉଥିଲେ ମଧ୍ୟ ସେଗୁଡିକ ସୁସମାଚାରର ସମ୍ପୂର୍ଣ୍ଣ ବାର୍ତ୍ତା ନୁହେଁ । ଯେପରି ଗାଲାତୀୟ ୧:୭ରେ ପାଉଲ ସତର୍କ କରାଇଦିଅନ୍ତି "ତାହା ଅନ୍ୟ ସୁସମାଚାର ସୁଦ୍ଧା ନୁହେଁ, କେବଳ କେତେକ ତୁମ୍ଭମାନଙ୍କୁ ଅସ୍ଥିର କରୁଅଛନ୍ତି ଓ ଖ୍ରୀଷ୍ଟଙ୍କ ସୁସମାଚାରକୁ ବିକୃତ କରିବାକୁ ଇଛା କରୁଅଛନ୍ତି ।" ଈଶ୍ବର ଆମ୍ଭମାନଙ୍କୁ ଦେଇଥିବା ବାର୍ତ୍ତାକୁ ପରିବର୍ତ୍ତନ କରିବା ପାଇଁ କୌଣସି ବ୍ୟକ୍ତିଙ୍କର ଅଧିକାର ନାହିଁ, ଏପରିକି ଏକ ମହାନ୍ ସୁସମାଚାର ପ୍ରଚାରକଙ୍କର ମଧ୍ୟ ଅଧିକାର ନାହିଁ । "ଯେପରି ଆମ୍ଭେମାନେ ପୂର୍ବରେ କହିଅଛୁ, ସେହିପରି ମୁଁ ଏବେ ଆଉ ଥରେ କହୁଅଛି, ଯେଉଁ ସୁସମାଚାର ତୁମ୍ଭେମାନେ ଗ୍ରହଣ କରିଥିଲ, ତଦ୍ ଭିନ୍ନ ଯଦି କୌଣସି ଲୋକ ଅନ୍ୟ ସୁସମାଚାର ତୁମ୍ଭମାନଙ୍କ ନିକଟରେ ପ୍ରଚାର କରେ, ତେବେ ସେ ଶାପଗ୍ରସ୍ତ ହେଉ ।" (ଗାଲାତୀୟ ୧:୯)

(୩) ଏହି ଶିକ୍ଷକ ପ୍ରଭୁଙ୍କୁ ଗୌରବ ଦେଲାଭଳି ସ୍ବଭାବ ଗୁଣ ଗୁଣଗୁଡିକ ପ୍ରଦର୍ଶନ କରନ୍ତି କି? ଭ୍ରାନ୍ତ ଶିକ୍ଷକମାନଙ୍କ ବିଷୟରେ ଯିହୂଦା ୧୧ କୁହେ, "ହାୟ, ସେମାନେ ସନ୍ତାପର ପାତ୍ର, କାରଣ ସେମାନେ କୟିନର ପଥରେ ଚାଲିଯାଉଅଛନ୍ତି, ଅର୍ଥଲୋଭ ସକାଶେ ବିଲିୟାମର ଭ୍ରାନ୍ତିରେ ପଡିଯାଇଅଛନ୍ତି ଓ କୋରହ ସଦୃଶ ବିଦ୍ରୋହ କରି ବିନଷ୍ଟ ହୋଇଅଛନ୍ତି ।" ଅନ୍ୟ ଅର୍ଥରେ, ଜଣେ ଭ୍ରାନ୍ତ ଶିକ୍ଷକ ତା' ଗର୍ବ ଦ୍ବାରା ଜଣାପଡିଯାଇଥାଏ (ଈଶ୍ବରଙ୍କ ଯୋଜନାକୁ କୟିନଙ୍କ ପ୍ରତ୍ୟାଖ୍ୟାନ), ଲୋଭ (ଅର୍ଥ ନିମନ୍ତେ ବାଲାମଙ୍କ ଭାବବାଣୀ କଥନ), ଏବଂ ବିଦ୍ରୋହ (ମୋଶାଙ୍କ ଉପରେ କୋରହ ନିଜକୁ ନିଜେ ପଦୋଜ୍ନୋତି) । ଯୀଶୁ ଏପରି ଲୋକମାନଙ୍କ ଠାରୁ ସାବଧାନ ହୋଇ ରହିବା ନିମନ୍ତେ କହିଲେ ଏବଂ ସେମାନଙ୍କ ଫଳ ଦ୍ବାରା ଆମେ ସେମାନଙ୍କୁ ଜାଣିପାରିବା (ମାଥିଉ ୭:୧୫-୨୦) ।

ଅଧିକ ଅଧ୍ୟୟନ ନିମନ୍ତେ, ବାଇବଲର ଏହି ସମସ୍ତ ପୁସ୍ତକକୁ ପୁନଃସମୀକ୍ଷା କରନ୍ତୁ ଯାହା ନିର୍ଦ୍ଧିଷ୍ଟ ଭାବରେ ମଣ୍ଡଳୀ ମଧ୍ୟରେ ଭ୍ରାନ୍ତ ଶିକ୍ଷା ବିରୁଦ୍ଧରେ ଯୁଦ୍ଧ କରିବା ନିମନ୍ତେ ଲିଖିତ ହୋଇଥିଲା: ଗାଲାତୀୟ, ୨ପିତର, ୧ଯୋହନ, ୨ଯୋହନ ଏବଂ ଯିହୂଦା । ଅନେକ ସମୟରେ ଭ୍ରାନ୍ତ ଶିକ୍ଷକ/ଭଣ୍ଡ ଭାବବାଦୀମାନଙ୍କୁ ଚିହ୍ନିତ କରିବା କଷ୍ଟକର ହୋଇଥାଏ । ଶୟତାନ ଦୀପ୍ତିମୟ ଦୂତଙ୍କ ବେଶ ଧାରଣ କରିଥାଏ (୨କରିନ୍ଥୀୟ ୧୧:୧୪), ଏବଂ ତା' ସେବକଗଣ ଧାର୍ମିକତାର ସେବକଗଣ ଭାବେ ନିଜକୁ ଦେଖାଇହୁଅନ୍ତି (୨କରିନ୍ଥୀୟ ୧୧:୧୫) । କେବଳ ସତ୍ୟତା ସହ ନିବିଡ ଭାବରେ ପରିଚିତ ହେଲେ ହେଁ ଏହା ନକଲକୁ ଚିହ୍ନିବାରେ ସକ୍ଷମ କରାଇଥାଏ ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ଜଣେ ଭ୍ରାନ୍ତ ଶିକ୍ଷକ/ଭଣ୍ଡ ଭାବବାଦୀକୁ ମୁଁ କିପରି ଚିହ୍ନିପାରିବି?
© Copyright Got Questions Ministries