ପ୍ରଭୁଭୋଜର ଗୁରୁତ୍ତ୍ଵ କ’ଣ/ ଖ୍ରୀଷ୍ଟୀୟ ଏକତା ?


ପ୍ରଶ୍ନ: ପ୍ରଭୁଭୋଜର ଗୁରୁତ୍ତ୍ଵ କ’ଣ/ ଖ୍ରୀଷ୍ଟୀୟ ଏକତା ?

ଉତ୍ତର:
ଏକ ଗଭୀର ଅର୍ଥ ପ୍ରସ୍ତୁତ କରୁଥିବା ହେତୁ ପ୍ରଭୁଭୋଜ ବିଷୟରେ ଅଧ୍ୟୟନ କରିବା ଏକ ପ୍ରାଣ-ଉଦ୍ଦୀପିତ ଅନୁଭବ । ତାହାଙ୍କ ମୃତ୍ୟୁର ପୂର୍ବରାତ୍ରି ପାରମ୍ପରିକ ନିସ୍ତାରପର୍ବ ପାଳନ କଲା ସମୟରେ ଯୀଶୁ ଏକ ଗୁରୁତ୍ତ୍ଵପୂର୍ଣ୍ଣ ଓ ନୂତନ ସହଭାଗୀତାର ଏକ ଭୋଜ ଅନୁଷ୍ଠିତ କଲେ ଯାହା ଆମେ ଏପର୍ଯ୍ୟନ୍ତ ପାଳନ କରିଆସୁଛୁ । ଏହା ଖ୍ରୀଷ୍ଟିୟ ଉପାସନାର ଏକ ଅବିଚ୍ଛେଦ୍ୟ ଅଂଶ । ଏହା ଆମ୍ଭମାନଙ୍କୁ ପ୍ରଭୁଙ୍କ ମୃତ୍ୟୁ, ପୁନରୁତ୍ଥାନ ଓ ଭବିଷ୍ୟତରେ ତାହାଙ୍କ ଗୌରବମୟ ଆଗମନ ବିଷୟରେ ଶ୍ମରଣ କରାଏ ।

ନିସ୍ତାରପର୍ବ ଯିହୂଦୀମାନଙ୍କ ଧାର୍ମିକ ବର୍ଷର ସବୁଠାରୁ ଅଧିକ ପବିତ୍ର ପର୍ବ ବା ଉତ୍ସବ ଥିଲା । ଏହା ମିଶର ଦେଶର ଅନ୍ତିମ ମହାମାରୀକୁ ଶ୍ମରଣାର୍ଥେ ପାଳନ କରାଯାଏ ଯେତେବେଳେ ମିଶିରିୟଙ୍କ ଜୋଷ୍ଠ ପୁତ୍ର ମୃତ୍ୟୁ ବରଣ କଲେ ଏବଂ ଇଶ୍ରାୟେଲୀୟମାନଙ୍କ ଦୁଆରବନ୍ଧରେ ମେଷର ରକ୍ତ ସିଞ୍ଚା ଯାଇଥିବାରୁ ସେମାନେ ରକ୍ଷା ପାଇଯାଇଥିଲେ। ତା’ପରେ ମେଷକୁ ଦଗ୍ଧକରି ଖମୀର ଶୂନ୍ୟ ରୋଟି ସହିତ ଭୋଜନ କରାଯାଇଥିଲା । ଈଶ୍ଵରଙ୍କ ଆଦେଶ ଅନୁସାରେ ପିଢ଼ୀରୁ- ପିଢ଼ୀ ପର୍ଯ୍ୟନ୍ତ ପାଳନ କରିବାକୁ ଥିଲା । ଏହି ସତ୍ୟ କାହାଣୀ ଯାତ୍ରା ୧୨ରେ ଲିପିବଦ୍ଧ ହୋଇଛି ।

ଶେଷ ରାତ୍ରଭୋଜ ସମୟରେ ଅର୍ଥାତ୍‍ ଏକ ନିସ୍ତାରପର୍ବ ପାଳନ ସମୟରେ ଯୀଶୁ ଖଣ୍ଡେ ରୋଟୀ ନେଇ ଈଶ୍ଵରଙ୍କୁ ଧନ୍ୟବାଦ ଦେଲେ । ଯେତେବେଳେ ସେ ଏହାକୁ ଭାଙ୍ଗି ଶିଷ୍ୟମାନଙ୍କୁ ଦେଲେ, ସେ କହିଲେ “ତୁମ୍ଭମାନଙ୍କ ନିମନ୍ତେ ଦତ୍ତ ହେଉଥିବା ମୋହର ଶରୀର ଏହି; ମୋତେ ସ୍ମରଣ କରିବା ନିମନ୍ତେ ଏହା କର । ଭୋଜନ କଲା ଉତ୍ତାରେ ସେହିପରି ସେ ପାନପାତ୍ର ଘେନି କହିଲେ ଏହି ପାନପାତ୍ର ତୁମ୍ଭମାନଙ୍କ ନିମନ୍ତେ ପାତିତ ହେଉଥିବା ମୋହର ରକ୍ତରେ ସ୍ଥାପିତ ନୂତନ ନିୟମ” (ଲୂକ ୨୨:୧୯-୨୦) । ସେ ଏକ ସ୍ତବ ଗାନ କଲା ଉତ୍ତାରେ ଏହି ଭୋଜକୁ ସମାପ୍ତ କଲେ (ମାଥିଉ ୨୬:୩୦), ଏବଂ ସେମାନେ ସେହି ରାତିରେ ଜୀତ ନାମକ ଏକ ପର୍ବତକୁ ଚାଲିଗଲେ । ଭାବବାଣୀ ଅନୁଯାୟୀ ସେହି ସ୍ଥାନରେ ଯିହୂଦାଙ୍କ ଦ୍ଵାରା ଯୀଶୁ ବିଶ୍ଵାସଘାତକତାର ଶିକାର ହେଲେ । ତା’ପର ଦିନ ସେ କ୍ରୁଶବିଦ୍ଧ ହୋଇଥିଲେ ।

ଯୀଶୁଙ୍କ ଶେଷ ରାତ୍ରିଭୋଜର ବିବରଣ ସୁସମାଚାର ପୁସ୍ତକଗୁଡ଼ିକରେ ଦେଖିବାକୁ ମିଳେ (ମାଥିଉ ୨୬:୨୬-୨୯; ମାର୍କ ୧୪:୧୭-୨୫; ଲୂକ ୨୨:୭-୨୨ ଏବଂ ଯୋହନ ୧୩:୨୧-୩୦) । ପ୍ରେରିତ ପାଉଲ ୧କରିନ୍ଥୀୟ ୧୧:୨୩-୨୯ରେ ଯୀଶୁଙ୍କ ଶେଷ ରାତ୍ରି ଭୋଜ ବିଷୟରେ

ଲେଖିଛନ୍ତି । ପାଉଲ ସେଠାରେ ଏକ କଥା ଲେଖିଛନ୍ତି ଯାହା ସୁସମାଚାର ପୁସ୍ତକଗୁଡ଼ିକରେ ଲେଖାଯାଇନାହିଁ :

“ଅତଏବ, ଯେକେହି ଅଯୋଗ୍ୟ ଭାବରେ ପ୍ରଭୁଙ୍କର ଏହି ରୋଟୀ ଭୋଜନ କରେ କିମ୍ବା ଏହି ପାତ୍ରରୁ ପାନ କରେ, ସେ ପ୍ରଭୁଙ୍କ ଶରୀର ଓ ରକ୍ତର ଦାୟୀ ହେବ । କିନ୍ତୁ ମନୁଷ୍ୟ ଆପଣାକୁ ପରୀକ୍ଷା କରୁ, ଆଉ ସେହିପରି ଭାବେ ଏହି ରୋଟୀ ଭୋଜନ କରୁ ଓ ଏହି ପାତ୍ରରୁ ପାନ

କରୁ । କାରଣ ଯେକେହି ପ୍ରଭୁଙ୍କ ଶରୀରକୁ ବିଶେଷ ନ ମଣି ଭୋଜନ କରେ, ସେ ଆପଣା ଦଣ୍ଡ ନିମନ୍ତେ ଭୋଜନ କରେ ଓ ପାନ କରେ” (୧କରିନ୍ଥୀୟ ୧୧:୨୭-୨୯) । ରୋଟୀ ଓ ପାତ୍ରରୁ “ଅଯୋଗ୍ୟ ଭାବରେ” ଗ୍ରହଣ କରିବାର ଅର୍ଥ କଅଣ ବୋଲି ଆମେ ପଚାରିପାରୁ । ଏହାର ଅର୍ଥ ରୋଟୀ ଓ ପାତ୍ରର ପ୍ରକୃତ ଅର୍ଥକୁ ଅସମ୍ମାନ କରିବା ଓ ଆମ୍ଭମାନଙ୍କ ପରିତ୍ରାଣ ନିମନ୍ତେ ଉଦ୍ଧାରକର୍ତ୍ତା ଯେଉଁ ବହୁମୂଲ୍ୟ ପାଉଣା ପରିଶୋଧ କରିଅଛନ୍ତି ତାହାକୁ ଭୁଲିଯିବା । କିମ୍ବା ଏହାର ଅର୍ଥ ହୋଇପାରେ ପ୍ରଭୁଭୋଜକୁ ନିସ୍ତେଜ ମୃତ କରିବା ଏବଂ ଏକ ସାଧାରଣ ବିଧି ରୂପେ ପାଳନ କରିବା କିମ୍ବା ପାପ ସ୍ଵୀକାର ସହ ପ୍ରଭୁଙ୍କ ନିକଟବର୍ତ୍ତୀ ହେବା । ପାଉଲଙ୍କ ଶିକ୍ଷା ପାଳନ କରିବାକୁ ହେଲେ ଆମେ ରୋଟୀ ଓ ଦ୍ରାକ୍ଷାରସ ଗ୍ରହଣ କରିବା ପୂର୍ବରୁ ନିଜନିଜକୁ ପରୀକ୍ଷା କରିବା ନିହାତି ଆବଶ୍ୟକ ।

ଆଉ ଏକ ବିଷୟ ପାଉଳ କୁହନ୍ତି ଯାହା ସୁସମାଚାର ପୁସ୍ତକଗୁଡିକରେ ଲିପିବଦ୍ଧ ନାହିଁ ତାହା ହେଉଛି “କାରଣ ଯେତେଥର ତୁମ୍ଭେମାନେ ଏହି ରୋଟୀ ଭୋଜନ କର ଓ ଏହି ପାନପାତ୍ରରୁ ପାନ କର, ସେତେଥର ତୁମ୍ଭେମାନେ ପ୍ରଭୁଙ୍କ ଆଗମନ ପର୍ଯ୍ୟନ୍ତ ତାହାଙ୍କ ମୃତ୍ୟୁ ପ୍ରଚାର କରୁଅଛ” (୧କରିନ୍ଥୀୟ ୧୧:୨୬) । ଏହି ଅନୁଷ୍ଠାନ ନିମନ୍ତେ ଏହା ଏକ ସମୟ ସୀମାକୁ ନିର୍ଧାରଣ କରେ, ଆମ୍ଭମାନଙ୍କ ପ୍ରଭୁଙ୍କ ଦ୍ଵିତୀୟ ଆଗମନ ପର୍ଯ୍ୟନ୍ତ ଆମକୁ ଏହି ଭୋଜ ପାଳନ କରିବାକୁ ହେବ । ଏହି ସମସ୍ତ ସଂକ୍ଷିପ୍ତ ବିବରଣରୁ ଆମେ ଶିଖିଲୁ ଯେ ଯୀଶୁ କିପରି ସବୁଠାରୁ ଅଧିକ ନ୍ୟୁନ ଦୁଇଗୋଟି ବିଷୟକୁ ତାହାଙ୍କ ଶରୀର ଓ ରକ୍ତର ଚିହ୍ନ ଭାବରେ ବ୍ୟବହାର କରି ସେଗୁଡ଼ିକୁ ତାହାଙ୍କ ମରଣର ସ୍ମୃତି ଭାବରେ ଆରମ୍ଭ କରିଥିଲେ । ଏହା ଚିତ୍ରବିଚିତ୍ର ହୋଇଥିବା ମାର୍ବଲ ପଥର କିମ୍ବା ଛାଞ୍ଚରେ ଗଢାଯାଇଥିବା ପିତ୍ତଳର ସ୍ମାରକ ନୁହେଁ, କିନ୍ତୁ ରୋଟୀ ଓ ଦ୍ରାକ୍ଷାରସ ଥିଲା ।

ସେ କୁହନ୍ତି ଯେ ରୋଟୀ ତାହାଙ୍କ ଶରୀର ବିଷୟରେ କୁହେ ଯାହାକୁ ଭଙ୍ଗାଯିବ । ତାହାଙ୍କ ଶରୀରର କୌଣସି ହାଡ ଭାଙ୍ଗିନଥିଲା, କିନ୍ତୁ ତାହାଙ୍କ ଶରୀର ଏତେ ପରିମାଣରେ କ୍ଷତବିକ୍ଷତ ହୋଇଯାଇଥିଲା ଯେ ଏହାକୁ ଚିହ୍ନି ହେଉନଥିଲା (ଗୀତ ୨୨:୧୨-୧୭ ; ଯିଶାଇୟ ୫୩:୪-୭) । ଦ୍ରାକ୍ଷାରସ ତାହାଙ୍କ ରକ୍ତ ବିଷୟରେ କହିଥାଏ ଯାହା ଅତିଶୀଘ୍ର ସମ୍ମୁଖୀନ ହେବାକୁ ଯାଉଥିବା ତାହାଙ୍କ ଭୟଙ୍କର ମରଣକୁ ସୂଚାଉଥିଲା । ଈଶ୍ଵରଙ୍କ ସିଦ୍ଧ ପୁତ୍ର, ସେ ଯେ ପୁରାତନ ନିୟମରେ ଥିବା ଉଦ୍ଧାରକର୍ତ୍ତାଙ୍କ ବିଷୟରେ ଅସଂଖ୍ୟ (ଆଦି ୩:୧୫; ଗୀତ ୨୨; ଯିଶାଇୟ ୫୩) ଭାବବାଣୀର ସଫଳ ହୋଇଥିଲେ । ସେ ଯେତେବେଳେ କହିଲେ “ମୋହର ସ୍ମରଣାର୍ଥେଏହା କର”, ସେ ଦର୍ଶାଇଲେ ଯେ ଏହା ଏକ ବିଧି ଯାହାକୁ ଭବିଷ୍ୟତରେ କରିବାକୁ ପଡ଼ିବ । ଏହା ଆହୁରି ମଧ୍ୟ ଦର୍ଶାଏ ଯେ ନିସ୍ତାରପର୍ବ, ଯାହା ଏକ ମେଷର ମୃତ୍ୟୁକୁ ଆବଶ୍ୟକ କରୁଥିଲା ଓ ଆଗାମୀ ଈଶ୍ଵରଙ୍କ ମେଷଶାବକଙ୍କ ଆସିବା ସମୟକୁ ଅପେକ୍ଷା କରୁଥିଲା ଯିଏ ଜଗତର ପାପ ବୋହି ନେଇଯିବେ ଏବଂ ତାହା ଯୀଶୁଙ୍କ ଶେଷରାତ୍ର ଭୋଜରେ ସଫଳ ହୋଇଥିଲା । ନୂତନ ନିୟମ ପୁରାତନ ନିୟମକୁ ପ୍ରତିସ୍ଥାପନା କଲା ଯେତେବେଳେ ଖ୍ରୀଷ୍ଟ ପ୍ନିସ୍ତାରପର୍ବର ମେଷ (୧କରିନ୍ଥୀୟ ୫:୭) ବଳି ହେଲେ (ଏବ୍ରୀ ୮:୮-୧୩), । ବଳିଦାନ ପ୍ରଥାର ଆଉ ଆବଶ୍ୟକତା ନାହିଁ (ଏବ୍ରୀ ୯:୨୫-୨୮) । ଯୀଶୁଙ୍କ ଶେଷ ରାତ୍ରିଭୋଜ/ପ୍ରଭୁଭୋଜ ହେଉଛି ଖ୍ରୀଷ୍ଟ ଆମ୍ଭମାନଙ୍କ ନିମନ୍ତେ ଯାହା କରିଅଛନ୍ତି ତାହାର ଏକ ସ୍ମରଣାର୍ଥକ ବିଷୟ ଏବଂ ତାହାଙ୍କ ବଳିଦାନର ଫଳ ସ୍ଵରୂପ ଆମେ ଯାହା ପ୍ରାପ୍ତ କରୁ ତାହାକୁ ପାଳନ କରିବାର ଏକ ବିଷୟ ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ



ପ୍ରଭୁଭୋଜର ଗୁରୁତ୍ତ୍ଵ କ’ଣ/ ଖ୍ରୀଷ୍ଟୀୟ ଏକତା ?