ବାଇବଲ ଅଧ୍ୟୟନ କରିବାର ଠିକ୍ ପଦ୍ଧତି କ’ଣ?


ପ୍ରଶ୍ନ: ବାଇବଲ ଅଧ୍ୟୟନ କରିବାର ଠିକ୍ ପଦ୍ଧତି କ’ଣ?

ଉତ୍ତର:
ଶାସ୍ତ୍ରର ଅର୍ଥ ନିର୍ଦ୍ଧାରଣ କରିବା ବିଶ୍ଵାସୀର ଜୀବନରେ ଏକ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ଅଟେ । ଆମକୁ କେବଳ ବାଇବଲ ପଢିବା ନିମନ୍ତେ ଈଶ୍ଵର କୁହନ୍ତି ନାହିଁ । ଆମେ ଏହାକୁ ନିହାତି ଅଧ୍ୟୟନ କରିବା ଓ ଉପଯୁକ୍ତ ଭାବରେ ଏହାକୁ ବ୍ୟବହାର କରିବା (୨ ତିମଥି ୨:୧୫) । ଶାସ୍ତ୍ର ଅଧ୍ୟୟନ କରିବା କଠିନ କାମ ଅଟେ । ଶାସ୍ତ୍ରକୁ ସତ୍ଵର ବା ସଂକ୍ଷିପ୍ତରେ ଦୃଷ୍ଟିପାତ କଲେ ଅନେକ ସମୟରେ ଅତି ଭୁଲ୍‍ ସିଦ୍ଧାନ୍ତ ଦେଇଥାଏ । ଅତଏବ, ଶାସ୍ତ୍ରର ଠିକ୍ ଅର୍ଥ ନିର୍ଦ୍ଧାରଣ କରିବା ନିମନ୍ତେ ବିଭିନ୍ନ ପଦ୍ଧତି ଅବଲମ୍ବନ କରିବା ଅତି ଗୁରୁତ୍ଵପୂର୍ଣ୍ଣ ଅଟେ ।

ପ୍ରଥମତଃ, ବାଇବଲ ଛାତ୍ର ବାଇବଲକୁ ବୁଝିବା ପାଇଁ ନିଶ୍ଚିତ ରୂପେ ପବିତ୍ରଆତ୍ମାଙ୍କ ନିକଟରେ ପ୍ରାର୍ଥନା କରିବାକୁ ହେବ, କାରଣ ଶାସ୍ତ୍ରର ପ୍ରକୃତ ଅର୍ଥ ବୁଝାଇବା ହେଉଛି ପବିତ୍ରଆତ୍ମାଙ୍କ କାର୍ଯ୍ୟ ମଧ୍ୟରୁ ଗୋଟେ ବିଷୟ । “କିନ୍ତୁ ସେ, ଅର୍ଥାତ୍‍ ସତ୍ୟମୟ ଆତ୍ମା ଆସିଲେ ସେ ପଥ ଦେଖାଇ ତୁମ୍ଭମାନଙ୍କୁ ସମସ୍ତ ସତ୍ୟରେ ପ୍ରବେଶ କରାଇବେ, କାରଣ ସେ ଆପଣାଠାରୁ କଥା କହିବେ ନାହିଁ, ମାତ୍ର ଯାହା ଯାହା ଶୁଣିବେ, ସେହିସବୁ କହିବେ, ପୁଣି ଆଗାମୀ ବିଷୟସବୁ ତୁମ୍ଭମାନଙ୍କୁ ଜଣାଇବେ” (ଯୋହନ ୧୬:୧୩) । ନୂତନ ନିୟମରେ ଥିବା ଲେଖାଗୁଡ଼ିକୁ ଲେଖିବା ନିମନ୍ତେ ପବିତ୍ରଆତ୍ମା ଯେପରି ପ୍ରେରିତମାନଙ୍କୁ ଚାଳନା ଦେଲେ, ସେହିପରି ଭାବରେ ସେ ଆମ୍ଭମାନଙ୍କୁ ମଧ୍ୟ ଶାସ୍ତ୍ର ବୁଝିବାରେ ସାହାଯ୍ୟ କରିବେ । ମନେ ରଖନ୍ତୁ ଯେ, ବାଇବଲ ହେଉଛି ଈଶ୍ଵରଙ୍କ ପୁସ୍ତକ, ଏବଂ ଏହାର ଅର୍ଥ କ’ଣ ସେ ବିଷୟରେ ଆମେ ତାହାଙ୍କୁ ପଚାରିବାର ଆବଶ୍ୟକତା ରହିଛି । ଆପଣ ଯଦି ଜଣେ ଖ୍ରୀଷ୍ଟିୟାନ, ତେବେ ଶାସ୍ତ୍ରର ସ୍ଵର୍ଗୀୟ ଲେଖକ ପବିତ୍ରଆତ୍ମା ଆପଣଙ୍କଠାରେ ବାସ କରନ୍ତି ଏବଂ ସେ ଯାହା ଲେଖିଅଛନ୍ତି ଆପଣ ଯେପରି ତାହା ବୁଝନ୍ତୁ ବୋଲି ସେ ଚାହାନ୍ତି ।

ଦ୍ଵିତୀୟତଃ, ଆମେ ଶାସ୍ତ୍ରର କିଛି ଅଂଶରୁ ଏକ ପଦକୁ ବାହାର କରି ପ୍ରସଙ୍ଗ ବାହାରେ ଏହାର ଅର୍ଥ ବାହାର କରିବା କଥା ନୁହଁ । ଆମେ କୌଣସି ପ୍ରସଙ୍ଗକୁ ଜାଣିବା ନିମନ୍ତେ ଏଥିର ପୂର୍ବବର୍ତ୍ତୀ ଓ ପରବର୍ତ୍ତୀ ସମସ୍ତ ପଦପର୍ବକୁ ନିହାତି ପଢ଼ିବାକୁ ହେବ । ସମସ୍ତ ଶାସ୍ତ୍ର ଈଶ୍ଵରଙ୍କ ଦ୍ଵାରା ଅନୁପ୍ରେରିତ ହୋଇଥିବା ସ୍ଥଳେ (୨ ତିମଥି ୩:୧୬; ୨ ପିତର ୧:୨୧) ଏ ସମସ୍ତକୁ ଲେଖିବା ନିମନ୍ତେ ଈଶ୍ଵର ମନୁଷ୍ୟମାନଙ୍କୁ ବ୍ୟବହାର କଲେ । ଏହି ସମସ୍ତ ବ୍ୟକ୍ତିଙ୍କ ମନରେ ଏକ ବିଷୟ ରହିଥିଲା, ଲେଖିବାର ଏକ ଉଦ୍ଦେଶ୍ୟ ରହିଥିଲା, ଏବଂ ସେମାନେ ଏକ ବିଶେଷ ବିଷୟ କୁ ସମ୍ବୋଧନ କରି ଲେଖୁଥିଲେ । ବାଇବଲର କୌଣସି ଏକ ପୁସ୍ତକକୁ କିଏ ଲେଖିଥିଲେ, କାହାପାଇଁ ଏହା ଲେଖାଯାଇଥିଲା, କେତେବେଳେ ଏହାକୁ ଲେଖାଯାଇଥିଲା ଏବଂ କାହିଁକି ଲେଖାଯାଇଥିଲା ଏ ସମସ୍ତ ଜାଣିବା ନିମନ୍ତେ ଆମେ ଏହାର ପୃଷ୍ଠଭୂମିକୁ ପଢ଼ିବାକୁ ହେବ । ଆହୁରି, କୌଣସି ଶାସ୍ତ୍ର କ’ଣ କହୁଛି ଜାଣିବା ପାଇଁ ତାହାର ପ୍ରସଙ୍ଗକୁ ଦେଖିବା ଉଚିତ । ବେଳେବେଳେ ଲୋକମାନେ ନିଜେ ଚାହୁଁଥିବା ଅନୁଯାୟୀ ବାଇବଲରେ ଥିବା ଶବ୍ଦଗୁଡ଼ିକୁ ନିଜ ଇଚ୍ଛା ଅନୁସାରେ ଅର୍ଥ କରିଥାନ୍ତି ।

ତୃତୀୟତଃ, ଆମେ ଆମ ବାଇବଲ ଅଧ୍ୟୟନରେ ସମ୍ପୂର୍ଣ୍ଣ ଭାବରେ ନିର୍ଭର କରିବା ଉଚିତ ନୁହେଁ । ଯେଉଁମାନେ ସେମାନଙ୍କ ଜୀବନସାରା ବାଇବଲ ଅଧ୍ୟୟନ କରିଛନ୍ତି ସେମାନଙ୍କ ଲେଖା ଦ୍ଵାରା ଆମେ କିଛି ବୁଝିପାରିବା ନାହିଁ ବୋଲି ଭାବିବା ହେଉଛି ମନଗର୍ବର ବିଷୟ । କିଛି ଲୋକ, ଭୁଲ୍‍ ଭାବରେ ଭାବିଥାନ୍ତି ଯେ ସେମାନେ କେବଳ ପବିତ୍ରଆତ୍ମାଙ୍କଠାରେ ନିର୍ଭର ରଖିବା ଦ୍ଵାରା ଶାସ୍ତ୍ରରେ ଥିବା ସମସ୍ତ ଗୁପ୍ତ ସତ୍ୟତାକୁ ଜାଣିପାରିବେ । ପବିତ୍ରଆତ୍ମାଙ୍କୁ ଦେଇ ଖ୍ରୀଷ୍ଟ ତାହାଙ୍କ ଶରୀର ନିମନ୍ତେ ଆତ୍ମିକ ଦାନର ବ୍ୟବହାର ନିମନ୍ତେ ଲୋକମାନଙ୍କୁ ଆତ୍ମିକ ଦାନଗୁଡିକ ଦେଇଅଛନ୍ତି । ଏହି ସମସ୍ତ ଆତ୍ମିକ ଦାନଗୁଡିକ ମଧ୍ୟରେ ଶିକ୍ଷାଦାନ ହେଉଛି ଏକ ଦାନ (ଏଫିସୀୟ ୪:୧୧-୧୨; ୧କରିନ୍ଥୀୟ ୧୨:୨୮) । ଶାସ୍ତ୍ରକୁ ଆମେ ଯେପରି ଠିକ୍‍ ଭାବରେ ବୁଝିପାରିବା ଓ ଏହାର ବାଧ୍ୟ ହୋଇପାରିବା ଏଥିପାଇଁ ଶିକ୍ଷକମାନେ ପ୍ରଭୁଙ୍କ ଦ୍ଵାରା ଆମ୍ଭମାନଙ୍କୁ ଦିଆଯାଇଅଛନ୍ତି । ଅନ୍ୟ ବିଶ୍ଵାସୀମାନଙ୍କ ସହ ବାଇବଲ ଅଧ୍ୟୟନ କରିବା ଓ ଈଶ୍ଵରଙ୍କ ବାକ୍ୟର ସତ୍ୟତାକୁ ବୁଝି ଏହାକୁ କାର୍ଯ୍ୟରେ ଲଗାଇବା ସବୁବେଳେ ବୁଦ୍ଧିର କାମ ଅଟେ ।

ତେଣୁ, ସାରାଂଶରେ କହିବାକୁ ଗଲେ, ବାଇବଲ ଅଧ୍ୟୟନ କରିବାର ଠିକ୍‍ ପଦ୍ଧତି କ’ଣ? ପ୍ରଥମତଃ, ପ୍ରାର୍ଥନା ଓ ନମ୍ରତା ଦ୍ଵାରା ଆମ୍ଭମାନଙ୍କୁ ବୁଝିବା ଶକ୍ତି ଦେବା ନିମନ୍ତେ ପବିତ୍ରଆତ୍ମାଙ୍କ ନିକଟରେ ପ୍ରାର୍ଥନା କରିବାକୁ ହେବ । ଦ୍ଵିତୀୟତଃ, ଆମେ ଶାସ୍ତ୍ରରେ ଥିବା କୌଣସି ଅଂଶକୁ ଏହାର ପ୍ରସଙ୍ଗ ଅନୁଯାୟୀ ଅଧ୍ୟୟନ ବା ଧ୍ୟାନ କରିବା ଉଚିତ ଓ ବାଇବଲର ଲେଖା ଦ୍ଵାରା ହିଁ ବାଇବଲକୁ ବ୍ୟାଖ୍ୟା କରିବାକୁ ଦେବା । ତୃତୀୟତଃ, ଆମେ ପୂର୍ବେ ଥିବା ଓ ଆଜିର ଅନ୍ୟ ଖ୍ରୀଷ୍ଟିୟାନମାନଙ୍କର ପ୍ରଚେଷ୍ଟାକୁ ସମ୍ମାନ କରିବା ଉଚିତ, ଯେଉଁମାନେ ବାଇବଲକୁ ଠିକ୍‍ ଭାବରେ ଅଧ୍ୟୟନ କରିବା ନିମନ୍ତେ ଚାହିଁ ରହିଛନ୍ତି । ମନେ ରଖନ୍ତୁ ଯେ, ଈଶ୍ଵର ହେଉଛନ୍ତି ବାଇବଲର ପ୍ରକୃତ ଲେଖକ, ଏବଂ ଆମ୍ଭେମାନେ ଯେପରି ଏହାକୁ ବୁଝିପାରିବା ତାହା ସେ ଚାହାନ୍ତି ।



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ



ବାଇବଲ ଅଧ୍ୟୟନ କରିବାର ଠିକ୍ ପଦ୍ଧତି କ’ଣ?