ଶାନ୍ତିରାଜ୍ୟ ଦ୍ବିତୀୟାଗମନ ମତବାଦ (premillennialism) କ'ଣ?



ପ୍ରଶ୍ନ: ଶାନ୍ତିରାଜ୍ୟ ଦ୍ବିତୀୟାଗମନ ମତବାଦ (premillennialism) କ'ଣ?

ଉତ୍ତର:
ଶାନ୍ତିରାଜ୍ୟ ଦ୍ବିତୀୟାଗମନ ମତବାଦ ହେଉଛି ଏକ ମତବାଦ ଯାହା ଖ୍ରୀଷ୍ଟଙ୍କ ଶାନ୍ତିରାଜ୍ୟ ପୂର୍ବରୁ ତାଙ୍କ ଦ୍ବିତୀୟାଗମନ ହେବ ଏବଂ ସେହି ଶାନ୍ତିରାଜ୍ୟ ବା ସହସ୍ରବର୍ଷ ରାଜତ୍ବ ହେଉଛି ପୃଥିବୀରେ ଖ୍ରୀଷ୍ଟଙ୍କ ଆକ୍ଷରିକ ୧୦୦୦ ବର୍ଷର ରାଜତ୍ବ | ଶାସ୍ତ୍ରରେ ଥିବା ଶେଷ ସମୟ ଘଟନା ସମ୍ବଳିତ ଶାସ୍ତ୍ରାଂଶଗୁଡିକ ବୁଝିବା ଏବଂ ଭାବାନୁବାଦ କରିବା ନିମନ୍ତେ ଦୁଇଗୋଟି ବିଷୟ ଅଛି ଯାହା ନିହାତି ସ୍ବଷ୍ଟ ଭାବେ ବୁଝିବାକୁ ପଡିବ: ଶାସ୍ତ୍ର ଭାବାନୁବାଦ କରିବା ନିମନ୍ତେ ଏକ ସଠିକ୍ ପଦ୍ଧତି ଏବଂ ଇଶ୍ରାୟେଲ (ଯିହୂଦା) ଏବଂ ମଣ୍ଡଳୀ (ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ବାସୀମାନଙ୍କ ସମାଗମ) ମଧ୍ୟରେ ଥିବା ଭିନ୍ନତା |

ଶାସ୍ତ୍ର ଭାବାନୁବାଦ କରିବାର ଏକ ସଠିକ୍ ଉପାୟ ଶାସ୍ତ୍ରର ପ୍ରସଙ୍ଗ ସହ ସଙ୍ଗତ ହେଉଥିବା ଏକ ଉପାୟରେ ଶାସ୍ତ୍ର ଭାବାନୁବାଦ ହେବାର ଆବଶ୍ୟକ କରେ | ଏହା ବୁଝାଏ ଯେ, ଏକ ଶାସ୍ତ୍ରାଂଶ ଏପରି ଭାବରେ ଭାବାନୁବାଦ ହେବା ଉଚିତ୍ ଯେପରିକି ଏହି ଶାସ୍ତ୍ରାଂଶ ଯେଉଁମାନଙ୍କ ନିକଟକୁ ଲେଖାଯାଇଥିଲା ସେମାନଙ୍କ ସଙ୍ଗତ ହେବା, ଯେଉଁମାନଙ୍କ ବିଷୟରେ ଲେଖାଯାଇଛି ତତ୍ ସଙ୍ଗତ , କାହାକୁ ଏହା ଲେଖାଯାଇଥିଲା ତତ୍ ସଙ୍ଗତ ଏହିପରି ଭାବରେ ସଙ୍ଗତ ହେବା ଉଚିତ୍ | ଶାସ୍ତ୍ରାଂଶର ଲେଖକ (ମାନବ ଲେଖକ), ଯେଉଁମାନଙ୍କୁ ଲକ୍ଷ୍ୟ କରି ଏହା ଲେଖାଯାଇଛି, ଏହାର ଐତିହାସିକ ପୃଷ୍ଠଭୂମି ଜାଣିବା ଅତି ଗୁରୁତ୍ବପୂର୍ଣ୍ଣ ବିଷୟ ଅଟେ | ଅନେକ ସମୟରେ ଐତିହାସିକ କିମ୍ବା ସାଂସ୍କୃତିକ ପରିବେଶ ଶାସ୍ତ୍ରାଂଶର ସଠିକ୍ ଅର୍ଥକୁ ପ୍ରକାଶ କରିବାରେ ସାହାଯ୍ୟ କରିଥାଏ | ସ୍ମରଣରେ ରଖିବା ଉଚିତ୍ ଯେ ଶାସ୍ତ୍ର ହିଁ ଶାସ୍ତ୍ରର ଭାବାନୁବାଦ କରେ | ଏହାର ଅର୍ଥ ହେଉଛି, ଅନେକ ସମୟରେ ବାଇବଲର ଅନ୍ୟ କୌଣସି ସ୍ଥାନରେ ଉଲ୍ଲିଖିତ ବିଷୟ କିମ୍ବା ପ୍ରସଙ୍ଗ ପର୍ଯ୍ୟନ୍ତ ଏକ ଶାସ୍ତ୍ରାଂଶ ବିସ୍ତାରିତ ହୋଇଥାଏ | ସମସ୍ତ ଶାସ୍ତ୍ରାଂଶ ଗୋଟିକୁ ଅନ୍ୟଠାରୁ ନିରବଚ୍ଛିନ୍ନ ଭାବେ ଭାବାର୍ଥ କରିବା ଗୁରୁତ୍ବପୂର୍ଣ୍ଣ ଅଟେ |

ପରିଶେଷରେ, ଏବଂ ଅତି ଗୁରୁତ୍ବପୂର୍ଣ୍ଣ ଭାବରେ, ଶାସ୍ତ୍ରାଂଶଗୁଡିକର ପ୍ରସଙ୍ଗ ସାଙ୍କେତିକ ପ୍ରକୃତିର ହୋଇନଥିଲେ ସେଗୁଡିକ ସର୍ବଦା ସେଗୁଡିକର ସାଧାରଣ, ନିୟମିତ, ସରଳ, ଆକ୍ଷରିକ ଅର୍ଥରେ ନିଆଯିବା ଉଚିତ୍ | ଏକ ଆକ୍ଷରିକ ବ୍ୟାଖ୍ୟା ବ୍ୟବହାର ହୋଇଆସୁଥିବା କଥନ ସଙ୍କେତର ସମ୍ଭାବନାକୁ ବାଦ୍ ଦିଏନାହିଁ | ବରଂ, ଏକ ଶାସ୍ତ୍ରାଂଶ ନିମନ୍ତେ ଉପଯୁକ୍ତ ହୋଇନଥିଲେ ଶାସ୍ତ୍ରାଂଶର ସାଙ୍କେତିକ ଭାଷାରେ ପଠନ ନ କରିବା ନିମନ୍ତେ ବ୍ୟାଖ୍ୟାକାରୀଙ୍କୁ ଉତ୍ସାହିତ କରିଥାଏ | ଅତି ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଯେ ଦତ୍ତ ହୋଇନଥିଲେ ଏକ "ଗଭୀର, ଅଧିକ ଆତ୍ମିକ" ଅର୍ଥକୁ କେବେବି ଅନ୍ବେଷଣ ନ କରିବା | ଏକ ଶାସ୍ତ୍ରାଂଶକୁ ଆତ୍ମିକ ଭାବ ନେଇ ବୁଝାଇବା ବିପଦପୂର୍ଣ୍ଣ ଅଟେ କାରଣ ଏହା ଶାସ୍ତ୍ରାଂଶର ସଠିକ୍ ଭାବାନୁବାଦ ନିମନ୍ତେ ଥିବା ଆଧାରକୁ ପାଠକର ମନ ମଧ୍ୟକୁ ସ୍ଥାନାନ୍ତର କରିଥାଏ | ସେହି ସମୟରେ, ସେଠାରେ ବ୍ୟାଖ୍ୟାର କୌଣସି ନିରପେକ୍ଷ ମାନ ରହିବ ନାହିଁ; ବରଂ ଶାସ୍ତ୍ରାଂଶଟି ଯାହା ବୁଝାଏ ସେବିଷୟରେ ପ୍ରତି ବ୍ୟକ୍ତିର ନିଜସ୍ବ ଧାରଣା ଉପରେ ନିର୍ଭର କରିବ | ଦ୍ବିତୀୟ ପିତର ୧:୨୦-୨୧ ଆମ୍ଭମାନଙ୍କୁ ସ୍ମରଣ କରାଇଦିଏ ଯେ, "ଶାସ୍ତ୍ରର କୌଣସି ଭାବବାଣୀ ସ୍ବତନ୍ତ୍ର ଭାବରେ ବ୍ୟାଖ୍ୟା କରିବାର ବିଷୟ ନୁହେଁ, କାରଣ କୌଣସି ଭାବବାଣୀ କେବେହେଁ ମନୁଷ୍ୟର ଇଛାରୁ ଉତ୍ପନ୍ନ ହୋଇନାହିଁ, ମାତ୍ର ଈଶ୍ବରପ୍ରେରିତ ମନୁଷ୍ୟମାନେ ପବିତ୍ରଆତ୍ମାଙ୍କ ଦ୍ବାରା ଚାଳିତ ହୋଇ କଥା କହିଥିଲେ |"

ବାଇବଲ ସମ୍ମତ ବ୍ୟାଖ୍ୟାର ଏହି ସମସ୍ତ ନୀତିନିୟମକୁ ପ୍ରୟୋଗ କଲେ, ଦେଖିବା ନିହାତି ଜରୁରୀଯେ, ଇଶ୍ରାୟେଲ (ଅବ୍ରହାମଙ୍କର ଶାରିରୀକ ବଂଶଧରମାନେ) ଏବଂ ମଣ୍ଡଳୀ (ସମସ୍ତ ନୂତନ ନିୟମ ବିଶ୍ବାସୀ) ଦୁଇଗୋଟି ଭିନ୍ନ ଗୋଷ୍ଠୀର ଅଟନ୍ତି | ଇଶ୍ରାୟେଲ ଏବଂ ମଣ୍ଡଳୀ ଭିନ୍ନ ଅଟନ୍ତି କାରଣ, ଯଦି ଏହାକୁ ଭୁଲ୍ ବୁଝାଯାଏ, ଶାସ୍ତ୍ରାଂଶର ଭୁଲ୍ ବ୍ୟାଖ୍ୟା ହେବ ଏବଂ ଏହି ବିଷୟ ଚିହ୍ନିପାରିବା ବହୁତ ଗୁରୁତ୍ବପୂର୍ଣ୍ଣ ବିଷୟ ଅଟେ | କାରଣ ବିଶେଷତଃ ଇଶ୍ରାୟେଲ ନିମନ୍ତେ କରାଯାଇଥିବା ପ୍ରତିଜ୍ଞା (ଉଭୟ ସଫଳ ହୋଇସାରିଥିବା ଓ ଏପର୍ଯ୍ୟନ୍ତ ସଫଳ ହୋଇନଥିବା) ସମ୍ବନ୍ଧୀୟ ଶାସ୍ତ୍ରାଂଶଗୁଡିକର ଭୁଲ୍ ବ୍ୟାଖ୍ୟା ହେବାର ଅଧିକ ସମ୍ଭାବନା ଅଛି | ଏପରି ପ୍ରତିଜ୍ଞାଗୁଡିକ ମଣ୍ଡଳୀ ନିମନ୍ତେ ପ୍ରଯୁଜ୍ୟ ହେବା ଉଚିତ୍ ନୁହେଁ | ସ୍ମରଣରେ ରଖନ୍ତୁ ଯେ, ଶାସ୍ତ୍ରାଂଶର ବିଷୟବସ୍ତୁ ଶାସ୍ତ୍ରାଂଶଟି କେଉଁମାନଙ୍କୁ ଲେଖାଯାଇଛି ତାହା ନିର୍ଦ୍ଧାରଣ କରିବ ଏବଂ ସବୁଠାରୁ ଅଧିକ ଠିକ୍ ବ୍ୟାଖ୍ୟାକୁ ସୂଚୀତ କରିବ |

ଏହି ସମସ୍ତ ଧାରଣା ମନରେ ରଖି, ଆମେ ଶାସ୍ତ୍ରର ଅନେକ ଅଂଶକୁ ଦେଖିପାରିବା ଯାହା ଶାନ୍ତିରାଜ୍ୟ ଓ ଖ୍ରୀଷ୍ଟଙ୍କ ଦ୍ବିତୀୟାଗମନ ମତ ଉତ୍ପନ୍ନ କରିବ | ଆଦି ୧୨:୧-୩ "ଏଉତ୍ତାରୁ ସଦାପ୍ରଭୁ ଅବ୍ରାମଙ୍କୁ କହିଲେ, ତୁମ୍ଭେ ଆପଣା ଦେଶ ଓ ଜ୍ଞାତି କୁଟୁମ୍ବ ଓ ପୈତୃକ ଗୃହ ପରିତ୍ୟାଗ କରି, ଆମ୍ଭେ ଯେଉଁ ଦେଶ ତୁମ୍ଭକୁ ଦେଖାଇବା, ସେହି ଦେଶକୁ ଯାଅ | ଆମ୍ଭେ ତୁମ୍ଭଠାରୁ ଏକ ମହାଗୋଷ୍ଠୀ ଉତ୍ପନ୍ନ କରିବା, ପୁଣି ଆମ୍ଭେ ତୁମ୍ଭକୁ ଆଶୀର୍ବାଦ କରି ତୁମ୍ଭର ନାମ ମହତ୍ କରିବା, ତୁମ୍ଭେ ଆଶୀର୍ବାଦର ଆକର ହେବ | ଯେଉଁମାନେ ତୁମ୍ଭକୁ ଆଶୀର୍ବାଦ କରନ୍ତି, ଆମ୍ଭେ ସେମାନଙ୍କୁ ଆଶୀର୍ବାଦ କରିବା; ପୁଣି ଯେକେହି ତୁମ୍ଭକୁ ଅଭିଶାପ ଦିଅଇ , ଆମ୍ଭେ ତାହାକୁ ଅଭିଶାପ ଦେବା; ଆଉ ତୁମ୍ଭଠାରୁ ପୃଥିବୀର ସବୁ ବଂଶ ଆଶୀର୍ବାଦ ପ୍ରାପ୍ତ ହେବେ |"

ଏଠାରେ ଈଶ୍ବର ଅବ୍ରାମଙ୍କୁ ତିନିଗୋଟି ବିଷୟ ପ୍ରତିଜ୍ଞା କରୁଅଛନ୍ତି: ଅବ୍ରାମଙ୍କର ଅନେକ ବଂଶ ହେବେ, ଏହି ଜାତି ଏକ ଦେଶ ଅଧିକାର କରିବେ ଏବଂ ଅବ୍ରାମଙ୍କ ବଂଶରେ ଥିବା (ଯିହୂଦୀମାନେ) ସମସ୍ତ ମନୁଷ୍ୟଜାତି ଉପରକୁ ଏକ ସାର୍ବଜନୀନ ଆଶୀର୍ବାଦ ଆସିବ | ଆଦି ୧୫:୯-୧୭ରେ, ଈଶ୍ବର ଅବ୍ରାମଙ୍କ ସହ କରିଥିବା ପ୍ରତିଜ୍ଞାକୁ ଅନୁମୋଦନ କରନ୍ତି | ଯେକୌଣସିମତେ ଏହା ହୋଇଯାଇଛି, ଈଶ୍ବର ନିଜ ଉପରେ ସେହି ପ୍ରତିଜ୍ଞାର ଏକମାତ୍ର ଦାୟିତ୍ବ ରଖିଅଛନ୍ତି | ତାହା ହେଉଛି, ଏପରି କୌଣସି ବିଷୟ ନ ଥିଲା ଯାହା ଈଶ୍ବର କରିଥିବା ପ୍ରତିଜ୍ଞାକୁ ନିଷ୍ଫଳ କଲାପରି ଅବ୍ରାମ କରିପାରିବେ ନାହିଁ କିମ୍ବା ତାହା କରିବାରେ ଅସଫଳ ହେବେ | ଆହୁରି ମଧ୍ୟ ଏହି ଶାସ୍ତ୍ରାଂଶରେ, ସେହି ଦେଶ ନିମନ୍ତେ ସୀମା ନିର୍ଦ୍ଧାରଣ କରାଯାଇଛି ଯାହାକୁକି ଯିହୂଦୀମାନେ ପରିଶେଷରେ ଅଧିକାର କରିବେ | ଏହି ସୀମାଗୁଡିକର ସବିଶେଷ ବିବରଣୀ ନିମନ୍ତେ ଦ୍ବିତୀୟ ବିବରଣ ୩୪ ଅଧ୍ୟାୟ ଦେଖନ୍ତୁ | ଦେଶର ପ୍ରତିଜ୍ଞା ବିଷୟକ ଅନ୍ୟ ଶାସ୍ତ୍ରାଂଶଗୁଡିକ ହେଉଛି ଦ୍ବିତୀୟ ବିବରଣ ୩୦:୩-୫ ଏବଂ ଯିହିଜିକଲ ୨୦:୪୨-୪୪ |

୨ଶାମୁୟେଲ ୭:୧୦-୧୭ରେ ରାଜା ଦାଉଦଙ୍କୁ ଈଶ୍ବରଙ୍କ ଦ୍ବାରା କରାଯାଇଥିବା ପ୍ରତିଜ୍ଞା ବିଷୟରେ ଆମେ ଦେଖୁ | ଏଠାରେ ଈଶ୍ବର ଦାଉଦଙ୍କୁ ପ୍ରତିଜ୍ଞା କରନ୍ତି ଯେ, ଏହି ସମସ୍ତ ବଂଶରୁ ଈଶ୍ବର ଏକ ଅନନ୍ତକାଳୀନ ରାଜ୍ୟ ସ୍ଥାପନ କରିବେ | ଏହା ଶାନ୍ତିରାଜ୍ୟ ସମୟରେ ଏବଂ ପରବର୍ତ୍ତୀ ଅନନ୍ତକାଳରେ ଖ୍ରୀଷ୍ଟଙ୍କ ଶାସନକୁ ବୁଝାଏ | ସ୍ମରଣରେ ରଖିବାର ଏକ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଏହି ପ୍ରତିଜ୍ଞା ଆକ୍ଷରିକ ଭାବେ ସଫଳ ହେବାର ଅଛି ଏବଂ ଏହା ଏପର୍ଯ୍ୟନ୍ତ ସଫଳ ହୋଇନାହିଁ | କେତେକ ହୁଏତ ବିଶ୍ବାସ କରିପାରନ୍ତି ଯେ, ଶଲୋମନଙ୍କ ଶାସନ ଏହି ଭାବବାଣୀର ଆକ୍ଷରିକ ସିଦ୍ଧି, କିନ୍ତୁ ସେହି ଅର୍ଥରେ ଏକ ସମାସ୍ୟା ଅଛି | ଶଲୋମନ ରାଜତ୍ବ କରିଥିବା ଦେଶ ବା ଭୌଗଳିକ ଅଞ୍ଚଳସବୁ ବର୍ତ୍ତମାନ ଇଶ୍ରାୟେଲ ଦ୍ବାରା ଅଧିକୃତ ନୁହେଁ, ଏବଂ ଶଲୋମନ ମଧ୍ୟ ଆଜି ଇଶ୍ରାୟେଲ କର୍ତ୍ତୃକ କରୁନାହାନ୍ତି | ସ୍ମରଣ କରନ୍ତୁ ଯେ, ଈଶ୍ବର ଅବ୍ରହାମଙ୍କୁ ପ୍ରତିଜ୍ଞା କଲେ ଯେ, ତାଙ୍କ ବଂଶଧରମାନେ ଚିରଦିନ ନିମନ୍ତେ ଏକ ଦେଶ ଅଧିକାର କରିବେ | ଆହୁରିମଧ୍ୟ, ୨ଶାମୁୟେଲ ୭ କୁହେ ଯେ ଈଶ୍ବର ଜଣେ ରାଜାଙ୍କୁ ସ୍ଥାପନ କରିବେ ଯିଏକି ଚିରଦିନ ନିମନ୍ତେ ଶାସନ କରିବେ | ଶଲୋମନ ଦାଉଦଙ୍କୁ କରାଯାଇଥିବା ପ୍ରତିଜ୍ଞାର ସିଦ୍ଧି ନୁହଁନ୍ତି | ଅତଏବ, ଏହା ଏକ ପ୍ରତିଜ୍ଞା ଯାହା ଏପର୍ଯ୍ୟନ୍ତ ସଫଳ ହୋଇନାହିଁ |

ବର୍ତ୍ତମାନ ଏହିସବୁ ବିଷୟ ମନ ମଧ୍ୟରେ ରଖି ପ୍ରକାଶିତ ୨୦:୧-୭ରେ ଲିପିବଦ୍ଧ ଥିବା ବିଷୟକୁ ପରୀକ୍ଷା କରନ୍ତୁ | ସହସ୍ର ବର୍ଷ ଯାହାକି ବାରମ୍ବାର ଉଲ୍ଲେଖ କରାଯାଇଛି ତାହା ଏହି ପୃଥିବୀରେ ଖ୍ରୀଷ୍ଟଙ୍କ ୧୦୦୦ ବର୍ଷର ଆକ୍ଷରିକ ଶାସନର ସିଦ୍ଧି ଅଟେ | ସ୍ମରଣକୁ ଆଣନ୍ତୁ ଯେ, ଜଣେ ଶାସନକର୍ତ୍ତା ବିଷୟରେ ଦାଉଦଙ୍କୁ କରାଯାଇଥିବା ପ୍ରତିଜ୍ଞା ଆକ୍ଷରିକ ଭାବରେ ପରିପୂରଣ ହେବାକୁ ଅଛି ଏବଂ ତାହା ଏପର୍ଯ୍ୟନ୍ତ ଘଟିନାହିଁ | ଶାନ୍ତିରାଜ୍ୟ ଦ୍ବିତୀୟାଗମନ ମତବାଦ ସେହି ସିଂହାସନରେ ଖ୍ରୀଷ୍ଟଙ୍କ ସହ ଥିବା ଭବିଷ୍ୟତ୍ ସିଦ୍ଧିକୁ ବର୍ଣ୍ଣନା କରିବା ଭାବେ ଦେଖେ | ଈଶ୍ବର ଉଭୟ ଅବ୍ରହାମ ଓ ଦାଉଦଙ୍କ ସହ ସର୍ତ୍ତହୀନ ପ୍ରତିଜ୍ଞା କରିଥିଲେ | ଈଶ୍ବର ଯେପରି ପ୍ରତିଜ୍ଞା କରିଥିଲେ ସେହିପରି ଭାବରେ ଘଟିବାର ଏକମାତ୍ର ପନ୍ଥା ହେଉଛି ଖ୍ରୀଷ୍ଟଙ୍କ ଏକ ଆକ୍ଷରିକ ଓ ଦୈହିକ ଶାସନ |

ଶାସ୍ତ୍ରର ଏକ ଆକ୍ଷରିକ ବ୍ୟାଖ୍ୟା ପ୍ରୟୋଗ କଲେ ଅନେକଗୁଡିଏ ପ୍ରହେଳିକା ମିଳିତ ହୋଇ ଆସିଥାଏ | ଯୀଶୁଖ୍ରୀଷ୍ଟଙ୍କ ପ୍ରଥମ ଆଗମନ ବିଷୟକ ପୁରାତନ ନିୟମର ସମସ୍ତ ଭାବବାଣୀ ଆକ୍ଷରିକ ଭାବେ ସିଦ୍ଧି ହୋଇସାରିଛି | ଅତଏବ, ଠିକ୍ ସେହିପରି ଭାବରେ ତାଙ୍କ ଦ୍ବିତୀୟାଗମନ ବିଷୟକ ସମସ୍ତ ଭାବବାଣୀ ମଧ୍ୟ ଆକ୍ଷରିକ ଭାବେ ସିଦ୍ଧି ଲାଭ କରିବାର ଆଶା କରୁ | ଶାନ୍ତିରାଜ୍ୟ ଦ୍ବିତୀୟାଗମନ ମତବାଦ ହେଉଛି ଏକମାତ୍ର ପଦ୍ଧତି ଯାହା ଈଶ୍ବରଙ୍କ ପ୍ରତିଜ୍ଞାସକଳ ଓ ଶେଷ-ସମୟ ବିଷୟକ ଭାବବାଣୀକୁ ଆକ୍ଷରିକ ବ୍ୟାଖ୍ୟା ଦେବା ସହ ଏକମତ ହୁଏ |



ଓଡିଆ ହୋମ୍ ପେଜକୁ ପ୍ରତ୍ୟାବର୍ତ୍ତନ କରନ୍ତୁ



ଶାନ୍ତିରାଜ୍ୟ ଦ୍ବିତୀୟାଗମନ ମତବାଦ (premillennialism) କ'ଣ?