settings icon
share icon
ପ୍ରଶ୍ନ

ତ୍ରିଏକ ଈଶ୍ଵରଙ୍କ ବିଷୟରେ ବାଇବଲ କ’ଣ ଶିକ୍ଷା ଦିଏ?

ଉତ୍ତର


ତ୍ରିଏକ ଈଶ୍ଵରଙ୍କ ଧାରଣାକୁ ବୁଝାଇବା ଖ୍ରୀଷ୍ଟିୟାନ ବିଶ୍ଵାସର ସବୁଠାରୁ ଅଧିକ କଷ୍ଟକର ବିଷୟ । ତ୍ରିଏକ ଈଶ୍ଵରଙ୍କ ଧାରଣା ଯାହା କୌଣସି ମନୁଷ୍ୟ ପକ୍ଷରେ ସମ୍ପୂର୍ଣ୍ଣ ରୂପେ ବୁଝିବା ଅସମ୍ଭବ ଅଟେ । ଈଶ୍ଵର ଆମ୍ଭମାନଙ୍କଠାରୁ ଅସୀମ ଭାବରେ ମହାନ୍‍ ଅଟନ୍ତି; ତେଣୁ, ଆମେ ତାହାଙ୍କୁ ସମ୍ପୂର୍ଣ୍ଣଭାବେ ବୁଝିବା ଆଶା କରିବା କଥା ନୁହେଁ । ବାଇବଲ ଶିକ୍ଷା ଦିଏ ଯେ ପିତା ଈଶ୍ଵର ଅଟନ୍ତି, ଏବଂ ଯୀଶୁ ଈଶ୍ଵର ଅଟନ୍ତି ଓ ପବିତ୍ରଆତ୍ମା ମଧ୍ୟ ଈଶ୍ଵର ଅଟନ୍ତି । ବାଇବଲ ଆହୁରି ମଧ୍ୟ ଶିକ୍ଷା ଦିଏ ଯେ କେବଳ ଏକମାତ୍ର ଈଶ୍ଵର ଅଛନ୍ତି । ଯଦିଓ ଆମେ ତ୍ରିଏକ ଈଶ୍ଵରଙ୍କଠାରେ ବିଭିନ୍ନ ବ୍ୟକ୍ତିତ୍ଵ ମଧ୍ୟରେ ଥିବା ସମ୍ପର୍କର କିଛି ବିଷୟକୁ ଜାଣିପାରିବା, ପରିଶେଷରେ ଦେଖିବାକୁ ଗଲେ ଏହା ମନୁଷ୍ୟ ବୋଧର ଅଗମ୍ୟ । ଅଥଚ, ଏହାର ଅର୍ଥ ନୁହେଁ ଯେ ତ୍ରିଏକ ଈଶ୍ଵର ସତ୍ୟ ନୁହେଁ କିମ୍ବା ଏହା ବାଇବଲ ଆଧାରିତ ଶିକ୍ଷା ନୁହେଁ ।

ତ୍ରିଏକ ଈଶ୍ଵର ହେଉଛନ୍ତି ଈଶ୍ଵର ତିନିଜଣ ବ୍ୟକ୍ତିଙ୍କଠାରେ ଅଛନ୍ତି । ଜାଣିରଖନ୍ତୁ ଯେ ଏହା ତିନିଟି ଈଶ୍ଵର ଥିବାର କଥା କୁହେ ନାହିଁ । ଆହୁରି ମନରେ ରଖନ୍ତୁ ଯେ “ ତ୍ରିଏକ ଈଶ୍ଵର” ଶବ୍ଦ ଶାସ୍ତ୍ରରେ ଦେଖିବାକୁ ମିଳେ ନାହିଁ । ଏହା ଏକ ଶବ୍ଦ ବା ବାକ୍ୟାଂଶ ଯାହା ତିନି ଈଶ୍ଵରଙ୍କ ବିଷୟରେ ବୁଝାଇବା ନିମନ୍ତେ ବ୍ୟବହାର କରାଯାଇଛି ଯେପରିକି – ତିନିଜଣ ଏକ ସମୟରେ ରହିଛନ୍ତି, ତିନିଜଣ ଅନନ୍ତ ଅଟନ୍ତି ଯେଉଁ ତିନିଜଣଙ୍କ ସମାହାର ହେଉଛନ୍ତି ଈଶ୍ଵର । ପ୍ରକୃତ ଗୁରୁତ୍ଵପୂର୍ଣ୍ଣ ବିଷୟ ହେଉଛି “ ତ୍ରିଏକ ଈଶ୍ଵର” ଶବ୍ଦ ବା ବାକ୍ୟାଂଶ ଦ୍ଵାରା ଯେଉଁ ଧାରଣାଟି ରହିଛି ତାହା ଶାସ୍ତ୍ରରେ ଦେଖିବାକୁ ମିଳେ । ତ୍ରିଏକ ଈଶ୍ଵରଙ୍କ ବିଷୟରେ ଈଶ୍ଵରଙ୍କ ବାକ୍ୟ ଯାହା କୁହେ ତାହା ତଳେ ଦିଆଗଲା:

୧) ଏକମାତ୍ର ଈଶ୍ଵର ଅଛନ୍ତି (ଦ୍ଵିତୀୟ ବିବରଣ ୬:୪; ୧କରିନ୍ଥୀୟ ୮:୪ ; ଗାଲାତୀୟ ୩:୨୦; ୧ ତିମଥି ୨:୫) ।

୨) ତ୍ରିଏକ ତିନୋଟି ବ୍ୟକ୍ତିତ୍ଵକୁ ଗଠିତ (ଆଦି ୧:୧, ୨୬; ୩:୨୨ ; ୧୧:୭ ; ଯିଶାଇୟ ୬:8 ; ୪୮:୧୬ , ୬:୧ ; ମାଥିଉ ୩ :୧୬-୧୭; 28:19; 2କରିନ୍ଥୀୟ 13:14) । ଆଦି 1:1ରେ, ହିବ୍ରୁ ବହୁବଚନ ଶବ୍ଦ ଇଲୋହୀମ୍‍ ବ୍ୟବହୃତ ହୋଇଛି । ଆଦି 1:26; 3:22; 11:7 ଓ ଯିଶାଇୟ 6:8ରେ “ଆମ୍ଭମାନଙ୍କୁ” ନିମନ୍ତେ ଥିବା ବହୁବଚନ ସର୍ବନାମ ବ୍ୟବହୃତ ହୋଇଛି । ଇଲୋହୀମ୍‍ ଓ ସର୍ବନାମ “ଆମ୍ଭମାନଙ୍କୁ” ବହୁବଚନ ଶବ୍ଦ ଓ ଏହା ନିଶ୍ଚିତ ଭାବରେ ହିବ୍ରୁ ଭାଷାରେ ଦୁଇରୁ ଅଧିକ ବୁଝାଏ । ଯଦିଓ ଏହା ସ୍ପଷ୍ଟ ଭାବରେ ତ୍ରିଏକ ଈଶ୍ଵରଙ୍କ ନିମନ୍ତେ ଏକ ଯୁକ୍ତି ନୁହେଁ, ତଥାପି ଏହା ଈଶ୍ଵରଙ୍କଠାରେ ବହୁବଚନର ଦିଗକୁ ଦର୍ଶାଉଛି । ଈଶ୍ଵରଙ୍କ ନିମନ୍ତେ ବ୍ୟବହାର ହୋଇ ଥିବା ବହୁବଚନ ଶବ୍ଦ ଇଲୋହୀମ୍‍ ନିଶ୍ଚିତ ଭାବରେ ତ୍ରିଏକ ଈଶ୍ଵରଙ୍କର ଉପସ୍ଥିତିକୁ ଅନୁମତି ଦେଇଥାଏ ।

ଯିଶାଇୟ ୪୮:୧୬ ଓ ୬୧:୧୧ ରେ, ପିତା ଓ ପବିତ୍ରଆତ୍ମାଙ୍କ ସମ୍ବନ୍ଧରେ ପୁତ୍ର କହୁଅଛନ୍ତି । ପୁତ୍ର କହୁଅଛନ୍ତି ନା ନାହିଁ ତାହା ଦେଖିବା ନିମନ୍ତେ ଯିଶାଇୟ ୬୧:୧ ସହ ଲୂକ ୪:୧୪-୧୯ କୁ ତୁଳନା କରନ୍ତୁ । ମାଥିଉ ୩:୧୬ ଯୀଶୁଙ୍କ ବାପ୍ତିସ୍ମର ଘଟନାକୁ ବର୍ଣ୍ଣନା କରେ । ଏହି ଶାସ୍ତ୍ରାଂଶରେ ପବିତ୍ରଆତ୍ମା ଈଶ୍ଵର ପୁତ୍ର ଈଶ୍ଵରଙ୍କ ଉପରକୁ ଅବତରଣ କରୁଛନ୍ତି ଯେତେବେଳେ କି ପିତା ଈଶ୍ଵର ପୁତ୍ରଙ୍କଠାରେ ତାହାଙ୍କର ସନ୍ତୋଷ ଥିବା ବିଷୟ କହୁଅଛନ୍ତି । ମାଥିଉ ୨୮:୧୯ ଓ ୨କରିନ୍ଥୀୟ ୧୩:୧୪ ତ୍ରିଏକ ଈଶ୍ଵରଙ୍କଠାରେ ଥିବା ତିନୋଟି ଭିନ୍ନ ବ୍ୟକ୍ତିଙ୍କର ଉଦାହରଣ ଅଟେ ।

୩) ତ୍ରିଏକ ଈଶ୍ଵରଙ୍କ ବ୍ୟକ୍ତିତ୍ୟ ଶାସ୍ତ୍ରର ବିଭିନ୍ନ ଅଂଶରେ ଏକ ଆରେକଠାରୁ ଭିନ୍ନ ଭାବରେ ପ୍ରକାଶ କରାଯାଇଅଛନ୍ତି । ପୁରାତନ ନିୟମରେ “ଈଶ୍ଵର” ଠାରୁ “ଈଶ୍ଵର”ଙ୍କୁ ଭିନ୍ନ ବ୍ୟକ୍ତି ଭାବରେ ଦେଖାଇଦିଆଯାଇଛି (ଆଦି ୧୯:୨୪; ହୋଶେୟ ୧:୪ – ଓଡିଆରେ ଦୁଇଟି ସ୍ଥାନରେ “ସଦାପ୍ରଭୁ” ହିଁ ଲେଖାଯାଇଛି) । ଈଶ୍ଵରଙ୍କ ଏକ ପୁତ୍ର ଅଛନ୍ତି (ଗୀତ ୨:୭, ୧୨; ହିତୋ ୩୦:୨-୪) । ପବିତ୍ରଆତ୍ମା ଈଶ୍ଵର (ଗଣନା ୨୭:୧୮) ଓ ପରମେଶ୍ଵର (ଗୀତ ୫୧:୧୦-୧୨)ଙ୍କ ଠାରୁ ଭିନ୍ନ ବ୍ୟକ୍ତି ଭାବରେ ଦେଖାଇଦିଆଯାଇଛନ୍ତି । ପୁତ୍ର ଈଶ୍ଵରଙ୍କ ଠାରୁ ପିତା ଈଶ୍ଵରଙ୍କ ଠାରୁ ଭିନ୍ନ (ଗୀତ ୪୫:୬-୭; ଏବ୍ରୀ ୧:୮-୯) । ନୂତନ ନିୟମରେ, ଯୀଶୁ ସାହାଯ୍ୟକାରୀ ପବିତ୍ରଆତ୍ମାଙ୍କୁ ପଠାଇବା ନିମନ୍ତେ ପିତାଙ୍କଠାରେ ନିବେଦନ କହୁଅଛନ୍ତି (ଯୋହନ ୧୪:୧୬-୧୭)। ଏହା ଦେଖାଏ ଯେ ଯୀଶୁ ନିଜକୁ ପିତା କିମ୍ବା ପବିତ୍ରଆତ୍ମା ବୋଲି ଗ୍ରହଣ କରିନଥିଲେ । ସୁସମାଚାର ପୁସ୍ତକଗୁଡ଼ିକରେ ଥିବା ଅନ୍ୟ ଲେଖାଗୁଡ଼ିକ ମଧ୍ୟ ଦେଖନ୍ତୁ ଯେଉଁଠାରେ ଯୀଶୁ ପିତାଙ୍କ ସହିତ କଥୋପ କୋଥୋନ କରୁଅଛନ୍ତି । ସେ କ’ଣ ନିଜକୁ ନିଜେ କହୁଥିଲେ? ନା । ସେ ତ୍ରିଏକ ଈଶ୍ଵରଙ୍କଠାରେ ଥିବା ଅନ୍ୟ ଜଣେ ବ୍ୟକ୍ତି ଅର୍ଥାତ୍‍ ପିତାଙ୍କୁ କହୁଥିଲେ ।

୪) ତ୍ରିଏକ ଈଶ୍ଵରଙ୍କଠାରେ ପ୍ରତ୍ୟେକ ବ୍ୟକ୍ତି ଈଶ୍ଵର ଅଟନ୍ତି । ପିତା ଈଶ୍ଵର ଅଟନ୍ତି (ଯୋହନ ୬:୭ ; ରୋମୀୟ ୧:୭ ; ୧ପିତର ୧:୨) । ପୁତ୍ର ଈଶ୍ଵର ଅଟନ୍ତି (ଯୋହନ ୧;୧ , ୧୪ ; ରୋମୀୟ ୯:୫ ; କଲସୀୟ ୨:୯ ; ଏବ୍ରୀ ୧:୮; ୧ଯୋହନ ୫:୨୦) । ପବିତ୍ରଆତ୍ମା ଈଶ୍ଵର ଅଟନ୍ତି (ପ୍ରେରିତ ୫:୩-୪ ; ୧କରିନ୍ଥୀୟ ୩:୧୬) ।

୫) ତ୍ରିଏକ ଈଶ୍ଵରଙ୍କ ମଧ୍ୟରେ ଅଧସ୍ତନତା ବା ବଶ୍ୟତା ଅଛି । ଶାସ୍ତ୍ର ଦେଖାଏ ଯେ ପବିତ୍ରଆତ୍ମା ପିତା ଓ ପୁତ୍ରଙ୍କର ବଶ୍ୟତା ସ୍ଵୀକାର କରନ୍ତି, ଏବଂ ପୁତ୍ର ପିତାଙ୍କର ବଶ୍ୟତା ସ୍ଵୀକାର କରନ୍ତି । ଏହା ଏକ ଅନ୍ତର୍ନିହିତ ସମ୍ପର୍କ ଓ ତ୍ରିଏକ ଈଶ୍ଵରଙ୍କଠାରେ କୌଣସି ବ୍ୟକ୍ତିଙ୍କର ଈଶ୍ଵରତ୍ଵକୁ କ୍ଷୂର୍ଣ୍ଣ କରେନାହିଁ । ଏହା ଏପରି ଏକ ବିଷୟ ଯାହା ଆମ୍ଭମାନଙ୍କର ସସୀମ ମନ ଅସୀମ ଈଶ୍ଵରଙ୍କ ବିଷୟରେ ବୁଝିପାରେ ନାହିଁ । ପୁତ୍ରଙ୍କ ବିଷୟରେ ଲୂକ ୨୨:୪୨ ; ଯୋହନ ୫:୩୬ ; ଯୋହନ ୨୦:୨୧ ଓ ୧ଯୋହନ ୪:୧୪ ଦେଖନ୍ତୁ । ପବିତ୍ରଆତ୍ମାଙ୍କ ବିଷୟରେ ଯୋହନ ୧୪:୧୬, ୨୬; ୧୫:୨୬; ୧୬:୭ ଓ ବିଶେଷତଃ ଯୋହନ ୧୬:୧୩-୧୪ ଦେଖନ୍ତୁ ।

୬) ତ୍ରିଏକ ଈଶ୍ଵରଙ୍କ ବ୍ୟକ୍ତିତ୍ଵ ମଧ୍ୟରେ ଭିନ୍ନ ଭିନ୍ନ କାର୍ଯ୍ୟ ରହିଛି । ପିତା ବିଶ୍ଵ ବ୍ରହ୍ମାଣ୍ଡର (୧କରିନ୍ଥୀୟ ୮:୬; ପ୍ରକାଶିତ ୪:୧୧); ସ୍ଵର୍ଗୀୟ ପ୍ରକାଶନ (ପ୍ରକାଶିତ ୧:୧); ପରିତ୍ରାଣ (ଯୋହନ ୩:୧୬-୧୭); ଏବଂ ଯୀଶୁଙ୍କ ମାନବୀୟ କାର୍ଯ୍ୟଗୁଡିକର (ଯୋହନ ୫:୧୭; ୧୪:୧୦) ସର୍ବଶେଷ ଉତ୍ସ ଅଟନ୍ତି ।

ପୁତ୍ର ହେଉଛନ୍ତି କାରକ ଯାହାଙ୍କ ଦ୍ଵାରା ପିତା ନିମ୍ନ କାର୍ଯ୍ୟଗୁଡିକ କରନ୍ତି: ବିଶ୍ଵ ବ୍ରହ୍ମାଣ୍ଡର ସୃଷ୍ଟି ଓ ଏହାର ଲାଳନପାଳନ (1କରିନ୍ଥୀୟ ୮:୬ ; ଯୋହନ ୧:୩; କଲସୀୟ ୧:୧୬-୧୭); ସ୍ଵର୍ଗୀୟ ପ୍ରକାଶନ (ଯୋହନ୧:୧ ; ୧୬:୧୨-୧୫; ମାଥିଉ ୧୧:୨୭ ; ପ୍ରକାଶିତ ୧:୧) ଏବଂ ପରିତ୍ରାଣ (୨ କରିନ୍ଥୀୟ ୫:୧୯; ମାଥିଉ ୧:୧୬ ; ଯୋହନ ୪:୪୨ ) । ପିତା ପୁତ୍ରଙ୍କ ଦ୍ଵାରା ସମସ୍ତ ବିଷୟ କରନ୍ତି ଯିଏ ତାହାଙ୍କ କାରକ ଭାବରେ କାର୍ଯ୍ୟ କରନ୍ତି ।

ପବିତ୍ରଆତ୍ମା ହେଉଛନ୍ତି ଏକ ମାଧ୍ୟମ ଯାହାଙ୍କ ଦ୍ଵାରା ପିତା ନିମ୍ନ କାର୍ଯ୍ୟଗୁଡ଼ିକ କରନ୍ତି: ବିଶ୍ଵ ବ୍ରହ୍ମାଣ୍ଡର ସୃଷ୍ଟି ଓ ଏହାର ଲାଳନପାଳନ (ଆଦି 1:୨ ; ଆୟୁବ ୨୬:୧୩ ; ଗୀତ ୧୦୪:୩୦); ସ୍ଵର୍ଗୀୟ ପ୍ରକାଶନ (ଯୋହନ ୧୬:୧୨:୧୫ ; ଏଫିସୀୟ ୩:୫ ; ୨ ପିତର ୧:୨୧); ପରିତ୍ରାଣ (ଯୋହନ ୩:୬ ; ତିତସ ୩:୫; 1ପିତର 1:2); ଏବଂ ଯୀଶୁଙ୍କ କାର୍ଯ୍ୟଗୁଡ଼ିକ (ଯିଶାଇୟ ୬୧:୧; ପ୍ରେରିତ ୧୦:୩୮) । ଏହିପରି ଭାବରେ ପିତା ପବିତ୍ରଆତ୍ମାଙ୍କ ଶକ୍ତିରେ ଏହି ସମସ୍ତ କାର୍ଯ୍ୟ କରନ୍ତି ।

ତ୍ରିଏକ ଈଶ୍ଵରଙ୍କ ବ୍ୟାଖ୍ୟାକୁ ଅଧିକ ବିକଶିତ ବା ସରଳ କରିବା ନିମନ୍ତେ ଅନେକ ପ୍ରଚେଷ୍ଟା କରାଯାଉଛି । ଅଥଚ, କୌଣସି ଜଣାଶୁଣା ବ୍ୟାଖ୍ୟା ସମ୍ପୂର୍ଣ୍ଣ ଭାବେ ସଠିକ୍‍ ନୁହେଁ । ଅଣ୍ଡା (କିମ୍ବା ଏପଲ୍‍)ର ଉଦାହରଣ ନେଲେ ତାହା ନିମ୍ନ ପ୍ରକାରେ ବୁଝାଇବାରେ ବିଫଳ ହୁଅନ୍ତି ଯେହେତୁ ଅଣ୍ଡାର ଖୋଳ, ଅଣ୍ଡାର ଧଳା ଅଂଶ ଓ ଅଣ୍ଡାର କେଶର ଅଣ୍ଡାର କିଛି ଅଂଶ କିନ୍ତୁ ସେଗୁଡ଼ିକ ସମ୍ପୂର୍ଣ୍ଣ ଅଣ୍ଡା ନୁହଁନ୍ତି ଠିକ୍‍ ଯେପରିକି ଏପଲର ଚୋପା, ଭିତର ଅଂଶ ଓ ଏଥିରେ ଥିବା ମଞ୍ଜି ଏପଲର କିଛି ଅଂଶ ଅଟନ୍ତି କିନ୍ତୁ ସେଗୁଡ଼ିକ ନିଜେ ସମ୍ପୂର୍ଣ୍ଣ ଏପଲ୍‍ ନୁହଁନ୍ତି । ପିତା, ପୁତ୍ର ଓ ପବିତ୍ରଆତ୍ମା ଈଶ୍ଵରଙ୍କର ଏକ ଅଂଶ ନୁହଁନ୍ତି; ସେମାନେ ପ୍ରତିଜଣ ସମ୍ପୂର୍ଣ୍ଣ ଭାବେ ଈଶ୍ଵର ଅଟନ୍ତି । ଜଳର ବ୍ୟାଖ୍ୟା କିଛି ମାତ୍ରାରେ ଉତ୍ତମ କିନ୍ତୁ ଏହା ମଧ୍ୟ ତ୍ରିଏକ ଈଶ୍ଵରଙ୍କ ବିଷୟରେ ସମ୍ପୂର୍ଣ୍ଣ ଭାବେ ବୁଝାଇବାରେ ବିଫଳ ଅଟେ । ଜଳ, ବାଷ୍ପ ଓ ବରଫ ଜଳର ବିଭିନ୍ନ ଆକାର ଅଟନ୍ତି । ପିତା, ପୁତ୍ର ଓ ପବିତ୍ରଆତ୍ମା ଈଶ୍ଵରଙ୍କର କିଛି କିଛି ଆକାର ନୁହଁନ୍ତି, ସେସବୁ ପ୍ରତ୍ୟେକେ ନିଜେ ନିଜେ ଈଶ୍ଵର ଅଟନ୍ତି । ତେଣୁ, ଏହି ସମସ୍ତ ଉଦାହରଣ ବା ବ୍ୟାଖ୍ୟା ତ୍ରିଏକ ଈଶ୍ଵରଙ୍କ ବିଷୟର କିଛି ଛବି ଦେଖାଇବ, କିନ୍ତୁ ସେହି ଛବି ସମ୍ପୂର୍ଣ୍ଣ ଭାବେ ସଠିକ୍‍ ନୁହେଁ । ଅସୀମ ଈଶ୍ଵରଙ୍କୁ ସସୀମ ବ୍ୟାଖ୍ୟା ଦ୍ଵାରା ବର୍ଣ୍ଣନା କରାଯାଇପାରିବ ନାହିଁ ।

ତ୍ରିଏକ ଈଶ୍ଵରଙ୍କ ବିଷୟକ ଈଶ୍ଵର ତତ୍ତ୍ଵ ସମଗ୍ର ଖ୍ରୀଷ୍ଟିୟାନ ମଣ୍ଡଳୀ ଇତିହାସରେ ଏକ ଦ୍ବନ୍ଦାତ୍ମକ ବିଷୟ । ତ୍ରିଏକ ଈଶ୍ଵରଙ୍କ ମୁଖ୍ୟ ଦିଗ ଈଶ୍ଵରଙ୍କ ବାକ୍ୟରେ ଦିଆଯାଇଥିବା ସ୍ଥଳେ କିଛି ବିଷୟ ସ୍ପଷ୍ଟ ଭାବେ ଦର୍ଶାଇଦିଯାଇନାହିଁ । ପିତା ଈଶ୍ଵର ଅଟନ୍ତି, ପୁତ୍ର ଈଶ୍ଵର ଅଟନ୍ତି ଓ ପବିତ୍ରଆତ୍ମା ଈଶ୍ଵର ଅଟନ୍ତି – ତଥାପି ଜଣେ ମାତ୍ର ଈଶ୍ଵର ଅଛନ୍ତି । ତାହା ହେଉଛି ବାଇବଲ ସମ୍ମତ ତ୍ରିଏକ ଈଶ୍ଵର । ଏହା ଅପେକ୍ଷା ଆଉ ଯେଉଁ ସମସ୍ତ ବିଷୟ ରହିଛି ତାହା ସବୁ ନ୍ଦତ୍ମକ ଏବଂ ଅନାବଶ୍ୟକ । ଆମ୍ଭମାନଙ୍କ ସସୀମ ମନରେ ତ୍ରିଏକ ଈଶ୍ଵରଙ୍କ ବିଷୟରେ ବୁଝିବାର ଚେଷ୍ଟା କରିବା ଅପେକ୍ଷା ଆମେ ଈଶ୍ଵରଙ୍କ ମହାନତା ଓ ତାହାଙ୍କ ଅସୀମ ଭାବେ ଉଚ୍ଚୀକୃତ ପ୍ରକୃତି ଉପରେ ଧ୍ୟାନ କେନ୍ଦ୍ରୀଭୂତ କରି ସେବା କରିବା ଉଚିତ । “ଆହା! ଈଶ୍ଵରଙ୍କ ବୁଦ୍ଧି ଓ ଜ୍ଞାନରୂପ ନିଧି କେଡେ ଗଭୀର! ତାହାଙ୍କର ବିଚାରସବୁ କିପରି ବୋଧର ଅଗମ୍ୟ ଓ ତାହାଙ୍କ ପଥସବୁ କିପରି ଅନନୁସନ୍ଧେୟ! କାରଣ, ପ୍ରଭୁଙ୍କର ମନ କିଏ ଜାଣିଅଛି? କିମ୍ବା ତାହାଙ୍କର ମନ୍ତ୍ରୀ କିଏ ହୋଇଅଛି?” (ରୋମୀୟ ୧୧:୩୩-୩୪)

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ତ୍ରିଏକ ଈଶ୍ଵରଙ୍କ ବିଷୟରେ ବାଇବଲ କ’ଣ ଶିକ୍ଷା ଦିଏ?
© Copyright Got Questions Ministries