settings icon
share icon
ପ୍ରଶ୍ନ

ଯୀଶୁ ତାହାଙ୍କ ମୃତ୍ୟୁ ଓ ପୁନରୁତ୍ଥାନ ମଧ୍ୟରେ ନରକକୁ ଯାଇଥିଲେକି?

ଉତ୍ତର


ଏହି ପ୍ରଶ୍ନ ବିଷୟରେ ଅନେକ ପ୍ରକାର ଦ୍ବନ୍ଦ ରହିଛି । ଯୀଶୁ କ୍ରୁଶରେ ତାହାଙ୍କ ମୃତ୍ୟୁ ପରେ କେଉଁ ସ୍ଥାନକୁ ଯାଇଥିଲେ ସେହି ଧାରଣା ମୁଖ୍ୟତଃ ପ୍ରେରିତମାନଙ୍କ ବିଶ୍ବାସ ମତରୁ ଆସିଛି ଯାହା ଦର୍ଶାଏ “ସେ ପାତାଳକୁ ଗଲେ ।” ଅନୁବାଦ କରାଯାଇଥିବା ଅନୁଯାୟୀ କିଛି ଶାସ୍ତ୍ର ମଧ୍ୟ ରହିଛି ଯାହା ଯୀଶୁ “ନରକ”କୁ ଯାଇଥିବାର ବୁଝାଏ । ଏହି ବିଷୟ ଅଧ୍ୟୟନ କଲେ ମୃତ୍ୟୁମାନଙ୍କ ରହିବା ସ୍ଥାନ ବିଷୟରେ ବାଇବଲ କ’ଣ ଶିକ୍ଷା ଦିଏ ପ୍ରଥମେ ସେ ବିଷୟ ବୁଝିବା ଗୁରୁତ୍ବପୂର୍ଣ୍ଣ ଅଟେ ।

ହିବ୍ରୁ ଶାସ୍ତ୍ରରେ, ମୃତମାନଙ୍କ ରହିବା ସ୍ଥାନ ନିମନ୍ତେ ଯେଉଁ ଶବ୍ଦ ବ୍ୟବହାର କରାଯାଇଛି ତାହା ହେଉଛି sheol । ଏହା ସରଳ ଭାବେ “ମୃତମାନଙ୍କର ସ୍ଥାନ” ବା “ମୃତ ବ୍ୟକ୍ତିମାନଙ୍କ ପ୍ରାଣ/ଆତ୍ମା” ବୋଲି ବୁଝାଏ । sheolର ସମାନ ଅର୍ଥ ଥିବା ଯେଉଁ ଶବ୍ଦ ନୂତନ ନିୟମରେ ବ୍ୟବହାର କରାଯାଇଛି ତାହା hades ଅଟେ, ଯାହା ମଧ୍ୟ “ମୃତମାନଙ୍କର ସ୍ଥାନ” ବୋଲି ବୁଝାଯାଏ । ନୂତନ ନିୟମରେ ଥିବା ଅନ୍ୟ ଶାସ୍ତ୍ରାଂଶଗୁଡିକ sheol/hadesକୁ ଏକ ଅସ୍ଥାୟୀ ସ୍ଥାନ ଭାବରେ ଦେଖାଏ, ଯେଉଁଠି ପ୍ରାଣ ବା ଆତ୍ମା ଶେଷ ପୁନରୁତ୍ଥାନ ଓ ବିଚାର ପାଇଁ ଅପେକ୍ଷା କରିଥାଏ । ପ୍ରକାଶିତ 20:11-15 ହେଦସ୍‍ (hades) ଓ ଅଗ୍ନିମୟ ହ୍ରଦ ମଧ୍ୟରେ ଥିବା ପାର୍ଥକ୍ୟକୁ ସ୍ବଷ୍ଟ ଭାବରେ ଦେଖାଏ । ଅଗ୍ନିମୟ ହ୍ରଦ ହେଉଛି ବିନାଶପ୍ରାପ୍ତ ଲୋକମାନଙ୍କର ସ୍ଥାୟୀ ଓ ଶେଷ ବିଚାରର ସ୍ଥାନ । ତେବେ ହେଦସ୍‍ (Hades) ହେଉଛି ଏକ ଅସ୍ଥାୟୀ ସ୍ଥାନ । ଅନେକ ଲୋକ ଉଭୟ ହେଦସ୍‍ (hades) ଓ ଅଗ୍ନିମୟ ହ୍ରଦକୁ “ନରକ” ଭାବେ ବୁଝାଇଥାନ୍ତି, ଏବଂ ଏହା ଦ୍ବନ୍ଦ ସୃଷ୍ଟି କରିଥାଏ । ଯୀଶୁ ତାହାଙ୍କ ମୃତ୍ୟୁ ପରେ ଯନ୍ତ୍ରଣାର ସ୍ଥାନକୁ ଯାଇନଥିଲେ, କିନ୍ତୁ ସେ ହେଦସ୍‍‍ (hades)କୁ ଯାଇଥିଲେ ।

Sheol/hades ହେଉଛି ଦୁଇଗୋଟି ବିଭାଗର ଏକ ସ୍ଥାନ – ଯାହା ଆଶୀର୍ବାଦର ଓ ବିଚାରର ଏକ ସ୍ଥାନ (ମାଥିଉ 11:23; 16:18; ଲୂକ 10:15; 16:23; ପ୍ରେରିତ 2:27-31) । ଉଦ୍ଧାର ପାଇଥିବା ଲୋକମାନଙ୍କର ଓ ବିନାଶ ପାଇଥିବା ଲୋକମାନଙ୍କର ରହିବା ସ୍ଥାନ ଉଭୟକୁ ବାଇବଲରେ “ହେଦସ୍‍” (hades) କୁହାଯାଏ । ଉଦ୍ଧାର ପାଇଥିବା ବ୍ୟକ୍ତିମାନଙ୍କର ରହିବା ସ୍ଥାନକୁ “ଅବ୍ରହାମଙ୍କ କୋଳ” (KJV) କିମ୍ବା ଲୂକ 16:22ରେ “ଅବ୍ରହାମଙ୍କ ଗୋଟିଏ ପାଖ (ପାର୍ଶ୍ବ)” (KJV) ଏବଂ ଲୂକ 23:43ରେ “ପାରଦୀଶ” ବୋଲି କୁହାଯାଏ । ଲୂକ 16:23ରେ ବିନାଶ ପାଇଥିବା ଲୋକମାନଙ୍କର ସ୍ଥାନକୁ “ନରକ” (“hell” - KJV) କିମ୍ବା ହେଦସ୍‍ (“Hades” – NIV) କୁହାଯାଏ ।

ଉଦ୍ଧାର ପାଇଥିବା ଲୋକମାନଙ୍କର ସ୍ଥାନ ଓ ବିନାଶ ପାଇଥିବା ଲୋକମାନଙ୍କର ସ୍ଥାନ ଏକ “ବୃହତ୍‍ ବ୍ୟବଧାନ” ଦ୍ବାରା ଭିନ୍ନ ହୋଇଛି (ଲୂକ 16:26) । ଯୀଶୁ ଯେତେବେଳେ ମଲେ, ସେ sheolର ଆଶୀର୍ବାଦ ପାଖ(ପାର୍ଶ୍ବ)କୁ ଗଲେ, ଏବଂ ସେଠାରୁ ବିଶ୍ବାସୀମାନଙ୍କୁ ତାଙ୍କ ସହିତ ସ୍ବର୍ଗକୁ ନେଇଗଲେ (ଏଫିସୀୟ 4:8-10) । sheol/hadesରେ ଥିବା ବିଚାର ପାଖ(ପାର୍ଶ୍ବ)ଟି କେବେ ପରିବର୍ତ୍ତନ ହୋଇନାହିଁ । ସମସ୍ତ ଅବିଶ୍ବାସୀ ମୃତ ଲୋକ ଭବିଷ୍ୟତରେ ସେମାନଙ୍କ ଶେଷ ବିଚାର ପାଇଁ ଅପେକ୍ଷା କରି ରହିଥାନ୍ତି । ଯୀଶୁ sheol/hadesକୁ ଯାଇଥିଲେକି? ହଁ, ଏଫିସୀୟ 4:8-10 ଓ 1ପିତର 3:18-20 ଅନୁଯାୟୀ ଯୀଶୁ sheol/hadesକୁ ଯାଇଥିଲେ ।

King James Versionର ଗୀତସଂହିତା 16:10-11 ପରି କିଛି ଶାସ୍ତ୍ରାଂଶର ଅନୁବାଦରେ କିଛି ଦ୍ବନ୍ଦ ଦେଖାଦେଇଛି: “କାରଣ ତୁମ୍ଭେ ମୋ ପ୍ରାଣକୁ ନରକରେ (ଓଡିଆ ବାଇବଲରେ “ପାତାଳରେ” ଲେଖାଯାଇଛି) ପରିତ୍ୟାଗ କରିବ ନାହିଁ; କିଅବା ତୁମ୍ଭେ ଆପଣା ପବିତ୍ର ଜନକୁ କ୍ଷୟ ପାଇବାକୁ ଦେବନାହିଁ । ତୁମ୍ଭେ ମୋତେ ଜୀବନର ପଥ ଦେଖାଇବ;” ଏହି ପଦରେ “ନରକ” ଏକ ଠିକ୍‍ ଅନୁବାଦ ନୁହେଁ । ଏହାକୁ ଠିକ୍‍ ଭାବେ ପଢିଲେ ଏହା “କବର” ବା “ପାତାଳ” (sheol) ହେବ । ଯୀଶୁ ତାଙ୍କ ଡାହାଣ ପାଖ(ପାର୍ଶ୍ବ)ରେ ଥିବା ଡକାୟତକୁ କହିଲେ “ତୁମ୍ଭେ ଆଜି ମୋ ସହିତ ପାରଦୀଶରେ ଉପସ୍ଥିତ ହେବ” (ଲୂକ 23:43); ସେ କହିନଥିଲେ “ମୁଁ ତୁମ୍ଭକୁ ନରକରେ ଦେଖିବି ।” ଯୀଶୁଙ୍କ ଶରୀର ସମାଧିରେ ଥିଲା; ତାହାଙ୍କ ପ୍ରାଣ/ଆତ୍ମା sheol/hadesରେ ଆଶୀର୍ବାଦ ରହିଥିବା ସ୍ଥାନକୁ ଗଲା । ଦୁର୍ଭାଗ୍ୟବଶତଃ, ବାଇବଲର ଅନେକ ସଂସ୍କରଣରେ “sheol”, “hades” ଓ “hell” ପାଇଁ ଯେଉଁ ହିବ୍ରୁ ଓ ଗ୍ରୀକ୍‍ ଶବ୍ଦ ରହିଛି ତାହାକୁ ଅନୁବାଦକମାନେ ଗୋଟିଏ ପ୍ରକାରେ ବା ଠିକ୍‍ ଭାବରେ ଅନୁବାଦ କରିନାହାନ୍ତି ।

କିଛି ଲୋକଙ୍କର ମତ ରହିଛି ଯେ ଆମ୍ଭମାନଙ୍କର ପାପ ପାଇଁ ଆହୁରି ଦଣ୍ଡିତ ହେବା ନିମନ୍ତେ ଯୀଶୁ sheol/hadesର କ୍ଲେଶଭୋଗ ପାଖ(ପାର୍ଶ୍ବ)କୁ ଯାଇଥିଲେ । ଏହି ଧାରଣା ସମ୍ପୂର୍ଣ୍ଣରୂପେ ବାଇବଲ ଆଧାରିତ ନୁହେଁ । ଆମ୍ଭମାନଙ୍କ ପାଇଁ ପ୍ରାୟଶ୍ଚିତ କାର୍ଯ୍ୟ କରିବାକୁ କ୍ରୁଶ ଉପରେ ଯୀଶୁଙ୍କ ମରଣ ଯଥେଷ୍ଟ ଅଟେ । ଢଳାଯାଇଥିବା ତାହାଙ୍କ ରକ୍ତ ଆମ୍ଭମାନଙ୍କୁ ପାପରୁ ପରିଷ୍କୃତ କରିବା ପାଇଁ କାର୍ଯ୍ୟକାରୀ ହେଲା (1ଯୋହନ 1:7-9) । ସେ କ୍ରୁଶ ଉପରେ ଝୁଲୁଥିବା ସମୟରେ ସମଗ୍ର ମନୁଷ୍ୟଜାତିର ପାପର ଭାର ନିଜ ଉପରକୁ ନେଲେ । ସେ ଆମ୍ଭମାନଙ୍କ ନିମନ୍ତେ ପାପ ପରି ହେଲେ: “ଯାହାଙ୍କଠାରେ ପାପର ଲେଶ ନ ଥିଲା, ତାହାଙ୍କୁ ସେ ଆମ୍ଭମାନଙ୍କ ନିମନ୍ତେ ପାପ ସ୍ବରୂପ କଲେ, ଯେପରି ଆମ୍ଭେମାନେ ତାହାଙ୍କ ଦ୍ବାରା ଈଶ୍ବରଙ୍କର ଧାର୍ମିକତା ସ୍ବରୂପ ହେଉ” (2କରିନ୍ଥୀୟ 5:21) । ପାପର ଏହି ଆରୋପ ଗେଥସମାନୀ ଉଦ୍ୟାନରେ ଖ୍ରୀଷ୍ଟଙ୍କ ସଂଘର୍ଷକୁ ଆମ୍ଭମାନଙ୍କୁ ବୁଝିବାରେ ସାହାଯ୍ୟ କରେ ଯାହା କ୍ରୁଶ ଉପରେ ଥିବା ସମୟରେ ତାଙ୍କ ଉପରେ ଢଳାଯିବାକୁ ଥିଲା ।

ଯୀଶୁଙ୍କର ମୃତ୍ୟୁ ପାଖେଇ ଆସୁଥିବା ସମୟରେ ସେ କହିଲେ “ସମାପ୍ତ ହେଲା” (ଯୋହନ 19:30) । ଆମ୍ଭମାନଙ୍କ ସ୍ଥାନରେ ଯେଉଁ କ୍ଲେଶ ପାଇବାକୁ ଥିଲା ତାହା ସମ୍ପୂର୍ଣ୍ଣ ହୋଇଯାଇଥିଲା । ତାହାଙ୍କ ପ୍ରାଣ/ଆତ୍ମା ହେଦସ (hades) (ମୃତ ଲୋକମାନେ ରହିବା ସ୍ଥାନ)କୁ ଗଲା । ଯୀଶୁ “ନରକ”କୁ କିମ୍ବା ହେଦସ (hades)ରେ ଥିବା ଯନ୍ତ୍ରଣାର ସ୍ଥାନକୁ ଯାଇନଥିଲେ; ସେ “ଅବ୍ରହାମଙ୍କ ଏକ ପାଖ(ପାର୍ଶ୍ବ)”କୁ ଅର୍ଥାତ୍‍ ହେଦସ (hades)ର ଆଶୀର୍ବାଦ ରହିଥିବା ପାଖ(ପାର୍ଶ୍ବ)କୁ ଯାଇଥିଲେ । ଯୀଶୁ ଯେତେବେଳେ ମରିଲେ ସେତେବେଳେ ତାହାଙ୍କ କ୍ଲେଶ ବା ଯନ୍ତ୍ରଣା ପାଇବା ବନ୍ଦ ହୋଇଗଲା । ପାପର ପାଉଣା ପରିଶୋଧ କରାଗଲା । ତା’ପରେ ସେ ତାଙ୍କ ଶରୀରର ପୁନରୁତ୍ଥାନ ଓ ତାଙ୍କ ସ୍ବର୍ଗାରୋହଣରେ ସେ ପାଇବାକୁ ଥିବା ଗୌରବର ଅପେକ୍ଷାରେ ଥିଲେ । ଯୀଶୁ ନରକକୁ ଯାଇଥିଲେକି? ନା । ଯୀଶୁ sheol/hades (ପାତାଳ)କୁ ଯାଇଥିଲେକି? ହଁ ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ଯୀଶୁ ତାହାଙ୍କ ମୃତ୍ୟୁ ଓ ପୁନରୁତ୍ଥାନ ମଧ୍ୟରେ ନରକକୁ ଯାଇଥିଲେକି?
© Copyright Got Questions Ministries